ପଶ୍ଚିମବଙ୍ଗରେ ସମସ୍ତ ଧାର୍ମିକସ୍ଥଳୀ ଜୁନ୍ ୧ରୁ ଖୋଲିବ

Spread the News

 ମେ ୩୧ତାରିଖରେ ଲକଡାଉନ ୪.୦ର ଅବଧି ଶେଷ ହେବାକୁ ଯାଉଥିବା ବେଳେ ଆଜି ପଶ୍ଚିମବଙ୍ଗ ସରକାର ଏକ ବଡ଼ ଘୋଷଣା କରିଛନ୍ତି | ପଶ୍ଚିମବଙ୍ଗରେ ସମସ୍ତ ଧାର୍ମିକସ୍ଥଳୀ ଜୁନ୍ ୧ତାରିଖରୁ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଲକଡାଉନ ୪ ଶେଷ ହେବାର ଦୁଇ ଦିନ ପୂର୍ବରୁ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଧାର୍ମିକ ସ୍ଥାନ ଖୋଲିବା ପରେ ଭିତରକୁ ୧୦ରୁ ଅଧିକ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଏହା ସହ ଚା ’ଏବଂ ଝୋଟ କାରଖାନା ମଧ୍ୟ ଜୁନ୍ ୧ରୁ ୧୦୦ପ୍ରତିଶତ ଶ୍ରମିକଙ୍କ ସହ ଖୋଲିବ। ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ୧୦୦ପ୍ରତିଶତ କର୍ମଚାରୀଙ୍କ ସହିତ ଖୋଲିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ।

ତେବେ ମେ ୩୧ପରେ ଲକଡାଉନର ଅବଧି ବଢ଼ିବ କି ନାହିଁ, ସେ ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନଥିବା ବେଳେ କିଛି ରାଜ୍ୟ ଲକଡାଉନ ୫.୦ ଲାଗୁ କରିବା ପାଇଁ ଦାବି କରିଛନ୍ତି । ସଂକ୍ରମଣ ବଢ଼ୁଥିବାରୁ ଆଗାମୀ ପଦକ୍ଷପ ବିଷୟରେ ସରକାର ଚିନ୍ତା କରୁଥିବା ବେଳେ ପ୍ରଥମ କରି ପଶ୍ଚିମବଙ୍ଗ ସରକାର ଏତେ ସବୁ ନିୟମକୁ କୋହଳ କରିଛନ୍ତି । ଆଜି ଲକଡାଉନ ୫.୦ ବିଷୟରେ ଆଲୋଚନା କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଗତକାଲି ସେ ସବୁ ରାଜ୍ୟର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବା ବେଳେ ଶନିବାର ଲକଡାଉନ ୫.୦କୁ ନେଇ ସରକାର ନିଷ୍ପତି ନେଇପାରନ୍ତି ବୋଲି ଚର୍ଚା ଆରମ୍ଭ ହୋଇଛି ।