latest

ସୋନୁ ସୁଦଙ୍କ ସହାୟତା ଯୋଗୁଁ ସ୍ୱତନ୍ତ୍ର ବିମାନରେ ନିଜ ଭିଟାମାଟିରେ ପହଂଚିଲେ ୧୬୯ ଓଡ଼ିଆ ଝିଅ

Spread the News

ବେଶ କିଛିଦିନ ଧରି କେରଳର ଏର୍ଣ୍ଣାକୁଲମରେ ଫସି ରହିଥିବା ୧୬୯ ଓଡ଼ିଆ ଝିଅ ଆଜି ଭୁବନେଶ୍ୱରରେ ପହଞ୍ଚି ନିଜ ନିଜ ଗାଁକୁ ଫେରି ଯାଇଛନ୍ତି।  ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁଁ କେରଳର ଏର୍ଣ୍ଣାକୁଲମ୍‌ର  ଏକ ଘରୋଇ କାରଖାନାରେ ସିଲାଇ ଏବଂ ଏମ୍ପ୍ରଡରି କାର୍ଯ୍ୟ କରଉଥିବା ଏହି ଝିଅମାନେ ଓଡ଼ିଶା ଆସିବା ଲାଗି ଉଦ୍ୟମ କରୁଥିଲେ ମଧ୍ୟ ସୁବିଧା ପାଇପାରୁ ନଥିଲେ। ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ପରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ସହାୟତାର ହାତ ବଢ଼ାଇଥିଲେ। ଯାହାଫଳରେ ଆଜି ଏହି ଓଡ଼ିଆ ଝିଅମାନେ ଆଜି ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନରେ ଆସିଥିବା ମଧୁସ୍ମିତା ସାମଲ ସେମାନେ ସୋନୁ ସୁଦଙ୍କ ଉଦ୍ୟମ ଯୋଗୁଁ ଘରକୁ ଫେରିପାରିଛନ୍ତି ବୋଲି କହିଛନ୍ତି। କେବଳ ମଧୁସ୍ମିତା ନୁହନ୍ତି ସୋନୁଙ୍କର ଏହି ସହାୟତା ଲାଗି ରାଜ୍ୟକୁ ଫେରିଥିବା ସମସ୍ତେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏୟାର ଏସିଆ ପକ୍ଷରୁ କୁହାଯାଇଛି କି କୋଚିରୁ ଭୁବନେଶ୍ୱର ଆସିଥିବା ସ୍ୱତନ୍ତ୍ର ବିମାନର ଭଡା ଅଭିନେତା ସୋନୁ ସୁଦ୍ ବହନ କରିଛନ୍ତି। ତେବେ ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବାରେ ସହାୟତା କରିପାରିଥିବାରୁ ଏୟାର ଏସିଆ ମଧ୍ୟ ଖୁସି ବ୍ୟକ୍ତ କରିଛି। ଅନ୍ୟ ପକ୍ଷରେ ସୋନୁ ସୁଦ୍ କହିଛନ୍ତି, ଦେଶର ବିଭିନ୍ନ ସ୍ଥାନ‌ରେ ଫସି ରହିଥିବା ଲୋକଙ୍କୁ ସେମାନଙ୍କ ଆତ୍ମିୟଙ୍କ ସହ ମିଶାଇବା ଲାଗି ମୁଁ ଉଦ୍ୟମ ଚଳାଇଛି। ତେବେ ଏହି କ୍ଷେତ୍ରରେ ଏୟାର ଏସିଆ ମୋତେ ସହଯୋଗ କରିଛନ୍ତି। ଉଡାଣ ସଂସ୍ଥାର ଯେଉଁ କର୍ମଚାରୀମାନେ ଏହି ବିମାନରେ ରହି ପ୍ରବାସୀଙ୍କୁ ଘରେ ପହଞ୍ଚାଇଲେ ସେମାନେ ହେଉଛନ୍ତି ପ୍ରକୃତ କୋଭିଡ୍ ଯୋଦ୍ଧା ବୋଲି କହିଛନ୍ତି ସୋନୁ। ଓଡ଼ିଆ ଝିଅଙ୍କର ଏହି ବିମାନ ଯାତ୍ରାକୁ ସେ ‘ଉମିଦକି ଉଡାନ୍’ ବୋଲି ଅଭିହିତ କରିଛନ୍ତି।