latest

ଆଜି 5T ସଚିବ ପାଣ୍ଡିଆନ୍‌ଙ୍କର ଜନ୍ମଦିନ, ଜାଣନ୍ତୁ ତାଙ୍କ ବିଷୟରେ…

Spread the News

ମେ’ ୨୯ ତାରିଖର ଦିନଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନରେ ଶୁଭ ଶଙ୍କେତ ଭାବରେ ଦେଖାଯାଇପାରେ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ବର୍ଷ ତଳେ ଠିକ୍‌ ଏହି ଦିନ ୫ମ ଥର ପାଇଁ ଅନାୟସରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ତେବେ ସେଇ ମେ’୨୯ ତାରିଖ ଅର୍ଥାତ୍‌ ଆଜିର ଦିନଟି ହେଉଛି ଭି କେ ପାଣ୍ଡିଆନ୍‌ଙ୍କର ଜନ୍ମଦିନ । ଏହାକୁ ଦୈବସଂଯୋଗ ନଚେତ୍‌ ଦୈବର ପୂର୍ବ ସ୍ଥିରୀକୃତ ଶୁଭ ସଙ୍କେତ ବୋଲି କୁହାଯାଇପାରେ । ରାଜ୍ୟର କ୍ଷମତାକେନ୍ଦ୍ରରେ ବିଗତ ସାତବର୍ଷରେ ଯଦି ସବୁଠାରୁ ପ୍ରଭାବଶାଳୀ ହୋଇ କୌଣସି ବ୍ୟକ୍ତିତ୍ୱ ବାହାରିଥାନ୍ତି ତାହାଲେ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍‌ । ତେବେ ପାଣ୍ଡିଆନ୍‌ଙ୍କର ଜନ୍ମଦିନ ଏବଂ ମୁଖ୍ୟମନ୍ତ୍ରୀଙ୍କର ୨୦୧୨ରେ ଶପଥ ଗ୍ରହଣ ସଂଯୋଗ ପୂର୍ବକ ଗୋଟିଏ ଦିନରେ ପଡ଼ିଥିବାରୁ ଏହାକୁ ନେଇ ସବୁଆଡ଼େ ନାନା ରକମର ଚର୍ଚ୍ଚା ଜୋର୍‌ ଧରିଛି । ଔପଚାରିକ ଭାବରେ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଥିବା ପାଣ୍ଡିଆନ୍‌ ଓଡ଼ିଶାରେ ବର୍ତ୍ତମାନ ଏକ ଲୋକପ୍ରିୟ ଚେହେରା କହିଲେ ଅତ୍ୟୁକ୍ତି ହେବ ନାହିଁ । ସମ୍ପ୍ରତି ପାଣ୍ଡିଆନ୍‌ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କର ସବୁଠାରୁ ବିଶ୍ୱସ୍ତ ବ୍ୟକ୍ତି । ମୁଖ୍ୟମନ୍ତ୍ରୀଙ୍କର ଆଖି, କାନ ସାଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ଗ୍ରହଣ କରିବାରେ ସେ ନିର୍ଣ୍ଣାୟକ ଭୂମିକା ନେଉଛନ୍ତି । ପାଣ୍ଡିଆନ୍‌ ହେଉଛନ୍ତି ୨୦୦୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ । ସେ ୨୦୧୧ମସିହାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରୂପେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ମୟୂରଭଞ୍ଜ ଏବଂ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବରେ ଆଖିଦୃଶିଆ କାର୍ଯ୍ୟ କରି ସବୁ ମହଲରୁ ପ୍ରଶଂସା ସାଉଁଟିଥିଲେ । ପ୍ରଶାସକରୁ ରାଜନେତା ପାଲଟିଥିବା ପ୍ୟାରିମୋହନ ମହାପାତ୍ରଙ୍କର ବିଶ୍ୱାସଘାତକତା ପାଇଁ ନବନୀବାବୁଙ୍କର ଅତି ନିକଟତର ହୋଇଥିଲେ ପାଣ୍ଡିଆନ୍‌ । ଦଳ ଭିତରେ ଥାଇ ପ୍ୟାରି ଯେତେବେଳେ କ୍ଷମତା ହାତେଇବା ଲୋଭରେ ନିଜ କ୍ଷମତାର ଦୂରୁପଯୋଗ କରି ନବୀନଙ୍କର ସ୍ୱାର୍ଥ ବିରୋଧି କାର୍ଯ୍ୟମାନ କରିବାକୁ ଲାଗିଲେ ସେତେବେଳେ ସେ ଦଳ ଭିତରୁ ଜାବୁଡ଼ି ଧରିଥିବା ବହୁଦିନର ମଙ୍ଗକୁ ସ୍ୱୟଂ ହାତ ଛଡ଼ା କରିଥିଲେ । ଖାସ୍‌ ଏହି ସମୟଟି ସୁହାଇଥିଲା ପାଣ୍ଡିଆନ୍‌ଙ୍କୁ । ପ୍ରଶାସନିକ ଅଧିକାରୀ ହୋଇଥିଲେ ମଧ୍ୟ ଜଣେ ପୋଖତ୍‌ ରାଜନେତା ଭଳି ଶାଣିତ ରାଜନୈତିକ ଗୋଟି ଚାଳନା କରି ସେତେବେଳେ ନବୀନଙ୍କର ମୁଖ୍ୟମନ୍ତ୍ରୀ ଆସନକୁ ସୁରକ୍ଷିତ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପାଣ୍ଡିଆନ୍‌ । ତାଙ୍କର ଏପରି କାର୍ଯ୍ୟ ପାଇଁ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କର ସେ ଅତି ଘନିଷ୍ଠ ଭାବରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ । ରାଜନୈତିକ ବିଶ୍ଳେଷକମାନଙ୍କ ମତରେ ପ୍ୟାରୀ ବିଜେଡିରୁ ନିଷ୍କାସିତ ହେଲା ପରେ ପାଣ୍ଡିଆନ୍‌ଙ୍କର ସମସ୍ତ କଣ୍ଟକିତ ପଥ ପରିଷ୍କାର ହୋଇଗଲା । ଏକ ଶକ୍ତ ଖୁମ୍ୱ ଭଳି ଦଣ୍ଡାୟମାନ ହେଲେ ମୁଖ୍ୟମନ୍ତ୍ରୀଙ୍କ ସାମ୍‌ନାରେ । ଏହାପରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଶାସନ ନୀତି ଓ ରାଜନୈତିକ ବିଷୟରେ ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରନ୍ତି, ତାହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବାରେ ବାସ୍ତବ ଶ୍ରେୟ ଯାଇଥାଏ ପାଣ୍ଡିଆନ୍‌ଙ୍କୁ । ଏହାସହିତ ଏହି ତାମିଲ୍‌ ପ୍ରଶାସନିକ ଅଧିକାରୀ ଜଣଙ୍କ ବହୁତ ପରିଶ୍ରମୀ ଏବଂ ସବୁବେଳେ ସେ ମୁଖ୍ୟମନ୍ତ୍ରୀଙ୍କର ସ୍ୱାର୍ଥ ରକ୍ଷାପୂର୍ବକ ସମସ୍ତ କାର୍ଯ୍ୟ କରିଥାନ୍ତି । ରାଜନୈତିକ ପୃଷ୍ଠଭୂମି ନଥିବାରୁ ଏବଂ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବରେ କାର୍ଯ୍ୟ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଡିଆନ୍‌ଙ୍କୁ ନିଃସଙ୍କୋଚ ଭାବରେ ସମସ୍ତ ଦାୟିତ୍ୱ ଦେଇ ତାଙ୍କୁ ରାଜ୍ୟ କ୍ଷମତାକେନ୍ଦ୍ର ପ୍ରମୁଖ ବ୍ୟକ୍ତିତ୍ୱ ଭାବରେ ଉଭା କରାଯାଇଛନ୍ତି । ପାଣ୍ଡିଆନ୍‌ ବିଜେଡି ଦଳ ଭିତରେ ନିଜ କ୍ରେଡିବିଲିଟିକୁ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି ଯଦିଓ ସେ ଜଣେ ତାମିଲ୍‌ ଯୁବକ ଓ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟରତ । ଖାଲି ମୁଖ୍ୟମନ୍ତ୍ରୀଙ୍କ ସହିତ ଅତି ଘନିଷ୍ଠ ହୋଇଥିବାରୁ ସେ ଏଭଳି ସମ୍ମାନ ପାଉଛନ୍ତି ତାହା ନୁହେଁ, ସମୟର ଆବଶ୍ୟକତା ଅନୁଯାୟୀ ସେ ନିଜର ଦକ୍ଷତା ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇ ପୁରସ୍କାର ସ୍ୱରୂପ ଏକ ସମ୍ମାନଜନକ ଆସନ ପାଇଛନ୍ତି । ପ୍ୟାରି ମହାପାତ୍ରଙ୍କୁ ଦଳରୁ ବାହାର କରାଗଲା ପରେ ଦଳର ସମସ୍ତ ରାଜନୈତିକ ରଣନୀତି ପ୍ରସ୍ତୁତିର ଗୁରୁଦାୟିତ୍ୱ ମୁଣ୍ଡାଇ ଏଥିରେ ଭରପୂର ସଫଳତା ଆଣିଦେଇଛନ୍ତି ପାଣ୍ଡିଆନ୍‌ । ଏହାସହିତ ନାନାବିଧ ଲୋକାଭିମୁଖୀ ସମାଜ ମଙ୍ଗଳକାରୀ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ କରି ବିଜେପିର ଚ୍ୟାଲେଞ୍ଜକୁ ସାଗରରେ ପକାଇ, କୋଣଠେସା ମାରିବାରେ ସେ ଅପୂର୍ବ ସଫଳତା ହାସଲ କରିଛନ୍ତି । ପାଣ୍ଡିଆନ୍‌ ତାଙ୍କର କାର୍ଯଶୈଳୀ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସାମ୍‌ନାରେ ଏକ ଅଭେଦ୍ୟ ପ୍ରାଚୀର ଠିଆ କରାଇଛନ୍ତି । ଅନେକ ରାଜନୈତିକ ପ୍ରତିଦ୍ୱନ୍ଦୀ ଥିଲେ ମଧ୍ୟ ଏହି ପ୍ରାଚୀରକୁ ଭେଦ କରିବାର ସାମର୍ଥ୍ୟ ସତେ ଯେପରି କାହାରି ନାହିଁ । ଦଳୀୟ ସମର୍ଥନ ହାତେଇବାରେ ବିଫଳ ହୋଇ ବୈଜୟନ୍ତ ପଣ୍ଡା ଯେତେବେଳେ ଦଳ ପରିତ୍ୟାଗ କଲେ, ସେତେବେଳ ସେ ପ୍ରତ୍ୟକ୍ଷଭାବରେ ପାଣ୍ଡିଆନ୍‌ଙ୍କୁ ଦୋଷାରୋପ କରିଥିଲେ । ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ ରାଜନୈତିକ ବ୍ୟାପାରରେ ପାଣ୍ଡିଆନ୍‌ ଅଯଥା ହସ୍ତକ୍ଷେପ କରିବାରୁ ସେ ଦଳ ଭିତରେ ରହିବାକୁ ଉଚିତ୍‌ ମଣି ନଥିଲେ । ବିଜେପି ମଧ୍ୟ ବହୁତଦିନରୁ ସମାନ ଦୋଷାରୋପ କରିଆସୁଛି । ସେ ଯାହାବି ହେଉ, ନବୀନ ବାବୁଙ୍କର ଅନେକ ଖରାପ୍‌ ସମୟରେ ସଙ୍କଟମୋଚକ ସାଜି ତାଙ୍କୁ ପାଣ୍ଡିଆନ୍‌ ଉଦ୍ଧାର କରିଛନ୍ତି ବୋଲି ସମସ୍ତ ସମାଲୋଚକମାନେ ଏକମତ ହେବେ । ପାଣ୍ଡିଆନ୍‌ଙ୍କର ସୂକ୍ଷ୍ମଦୃଷ୍ଟି ଓ ରାଜନୈତିକ ଚତୁରତା ପାଇଁ ଗତ ନିର୍ବାଚନରେ ବିଜେଡି ଏକତରଫା ବିଜୟ ହାସଲ କରିପାରିଥିଲା । ପାଣ୍ଡିଆନ୍ ସବୁଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ‘ଲକି ମ୍ୟାନ୍‌’, ଏକଥା ଯେ କେହିବି ସ୍ୱୀକାର କରିବେ । ଏହିକ୍ରମରେ ମେ’୨୯ ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପୁଣି ସେଇ ଏକାଦିନରେ ପାଣ୍ଡିଆନ୍‌ଙ୍କର ଜନ୍ମଦିନ ପଡ଼ୁଥିବାରୁ ଏହାକୁ ରାଜ୍ୟବାସୀ ଏକ ଦୈବୀ ଚମତ୍କାର ବୋଲି ବିବେଚନା କରିବା ସହ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ୍‌ଙ୍କ ଦକ୍ଷତାର ଉପଯୋଗ କରି ଆହୁରି ଦୀର୍ଘବର୍ଷ ରାଜ୍ୟବାସୀଙ୍କ ସେବା କରିବେ ବୋଲି ସବୁଆଡ଼େ ଆଲୋଚନା ଚାଲିଛି ।

Tags: