latest

‘ଏସପି କହୁଛନ୍ତି ବିଜେଡି ଭାଷା’

ବିଜେପୁର ଗୁଳିମାଡ ଘଟଣାରେ ବରଗଡ ଜିଲ୍ଲା ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତଥାପି ବିଜେପୁରକୁ ନେଇ ରାଜନୀତି ଥମିବାର ନାଁ ଧରୁ ନାହିଁ । ଗତକାଲି ବରଗଡ ଏସପି ଏହି ଘଟଣାରେ କୌଣସି ରାଜନୈତିକ ସଂପୃକ୍ତି ନାହିଁ ବୋଲି କହିବା ପରେ ଏହାକୁ ନେଇ ରାଜନୀତିର ଗୋଟି ଚଳାଇଛି ବିଜେପି । ତଦନ୍ତ ସରିନଥିବା ବେଳେ କିପରି ଏସପି ଏପରି ମନ୍ତବ୍ୟ ଦେଇଛନ୍ତି ବୋଲି ବିଜେପିର ମୁଖପାତ୍ର ସଜ୍ଜନ ଶର୍ମା ପ୍ରଶ୍ନ କରିଛନ୍ତି । ଏପରିକି ବରଗଡ ଏସପି ବିଜେଡିର ଭାଷା କହୁଛନ୍ତି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି । ପୋଲିସ ବିଜେଡିର ହାତବାରିସି ସାଜି ରାଜ୍ୟରେ ଆତଙ୍କରାଜ ଚଳାଇଛି ବୋଲି ସଜ୍ଜନ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।  ବିଜେପୁରବାସୀ କ୍ରମାଗତ ତିନିଥର ବିଜେଡିକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ବର୍ତମାନ ସମୟରେ ସେମାନେ ଜିତିବାକୁ ବିବ୍ରତ ବୋଲି କହିଛନ୍ତି ସଜ୍ଜନ ଶର୍ମା । ସଜ୍ଜନଙ୍କ ଏହି ଅଭିଯୋଗ ଉପରେ ଯବାବ ରଖିଛି ବିଜେଡି । ବିଜେପୁରରେ ଦଳ ପଛରେ ପଡିଯାଇଥିବାରୁ ଏପରି ଏକ ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ସେମାନଙ୍କ ପାଖରେ ପ୍ରସଙ୍ଗ ନଥିବା ବେଳେ ସେମାନେ ଏଠାରେ ବସି ନାଟକ କରୁଛନ୍ତି ବୋଲି ପ୍ରତାପ କହିଛନ୍ତି ।  ପ୍ରକାଶଥାଉକି, କିଛି ଦିନ ତଳେ ବିଜେପୁରରେ ବିଜେପି ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମନୋରଂଜନଙ୍କ ଘର ଉପରକୁ ଦୁର୍ବୁତମାନେ ଗୁଳିମାଡ କରିଥିଲା । ଗୁଳିମାଡରେ କେହି ମୃତାହତ ହୋଇନଥିବାବେଳେ ଘର କବାଟ ଓ କାନ୍ଥରେ ୩ ରାଉଣ୍ଡ ଗୁଳି ବାଜିଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ୨ଟି ଖୋକା ଜବତ କରି ତଦନ୍ତ ଆରମ୍ବ କରିଥିଲା । ଏହି ଗୁଳିମାଡରେ ବିଜେପି ସିଧାସଳଖ ବିଜେଡିକୁ ଦାୟୀ କରିଥିଲା । ଏହି ଘଟଣାର ତଦନ୍ତ କରିବାକୁ ଯାଇ ଗତ ମଙ୍ଗଳବାର ଦିନ ଜିଲ୍ଲା ପୋଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସୋହେଲା ଅଂଚଳର ମହମ୍ମଦ ଅରଶାଦ ଓରଫ ରାଜା ଖାନ ଓ ସୁଶାନ୍ତ ଭୁୟେ । ସେମାନଙ୍କ ପାଖରୁ ଗୁଳିମାଡ ସମୟରେ ବ୍ୟବହୃତ ବଲେରୋ ଗାଡି ଓ ଦେଶୀ ପିସ୍ତଲ ପୋଲିସ ଜବତ କରିଥିବା କହିଛି ।