ଚର୍ଚାରେ “ବଲିଉଡର ମା’” : ସମ୍ପତି ପାଇଁ ଦୁଇ ପୁଅ ମାରପିଟ୍

ପରଦା ଉପରେ ‘ଦିଓ୍ୱାର’ ଚଳଚ୍ଚିତ୍ରରେ “ବଲିଉଡର ମା’” ବୋଲାଉଥିବା ନିରୂପା ରୟଙ୍କ ଦୁଇପୁଅ ଅମିତାଭ ବଚ୍ଚନ ଓ ଶଶି କପୁର ପରଷ୍ପର ମାରପିଟ୍ ହେବା ଓ ଏହାକୁ ନେଇ ଡାଏଲଗ୍ ଚିର ସବୁଜ ହୋଇ ରହିଛି । ପରଦା ଉପରେ ରିଲ୍ ଲାଇଫରେ ହୋଇଥିବା ମାରପିଟ ଏବେ ନିରୂପାଙ୍କ ରିୟଲ ଲାଇଫରେ ଘଟିଛି ।  ନିରୂପା ରୟଙ୍କ ବାସ୍ତବ ଜୀବନରେ ମଧ୍ୟ ତାଙ୍କର ଦୁଇ ପୁଅ ଏବେ ହାତାହାତି ପରିସ୍ଥିତିରେ ପହଂଚିଛନ୍ତି । ନିରୂପାଙ୍କର ଏକ ତିନି ହଜାର ବର୍ଗ ଫୁଟ ଆପାର୍ଟମେଂଟକୁ ନେଇ ଏହି ଦୁଇ ପୁଅଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିବା ଜଣାପଡିଛି । ୨୦୦୪ରେ ଏହି ବର୍ଷିୟାନ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ସ୍ୱାମୀ କମଲ ରୟ ଏହି ସମ୍ପଂତିର ମାଲିକ ହୋଇଗଲେ । ହେଲେ କମଲଙ୍କର ୨୦୧୨ରେ ମୃତ୍ୟୁ ହୋଇଗଲା । ଏହାପରେ ସମ୍ପଂତି ଭାଗବଂଟାକୁ ନେଇ ଦୁଇ ପୁଅଙ୍କ ମଧ୍ୟରେ ଆରମ୍ବ ହେଲା ଝଗଡା । ଯାହା ଏବେ ହାତାହାତି ପର୍ଯ୍ୟନ୍ତ ଯାଇଥିବା ଜଣାପଡିଛି । ନିରୂପାଙ୍କର ୪୫ ବର୍ଷୀୟ ସାନ ପୁଅ କିରଣ ଗତକିଛି ଦିନ ତଳେ ସ୍ଥାନୀୟ ଥାନାରେ ତାଙ୍କ ବଡ ଭାଇ ୟୋଗେଶଙ୍କ ନାଁରେ ଅଭିଯୋଗ କରିଥିଲେ । ବଡ ଭାଇ ୟୋଗେଶଙ୍କର ପିଲାମାନେ ଘରେ ପାଟିତୁଣ୍ଡ କରୁଥିବା ସେ ଅଭିଯୋଗ କରିଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ସେହିପରି ପୂର୍ବରୁ ସମ୍ପଂତିକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇସାରିଥିବା ସେହି ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି । ଏପରିକି ଏହି ଗଣ୍ଡଗୋଳ ଘରେ ଲାଗିଥିବା ସିସିଟିଭି ଫୁଏଜ କଏଦ ହୋଇ ରହିଛି ।  ପୋଲିସ ସୂଚନା ମୁତାବକ, କିରଣ ଆପାର୍ଟମେଂଟର ଯେଉଁ ଅଂଶରେ ରହୁଛନ୍ତି ସେଠାକୁ ୟୋଗେଶ ଜାଣିଶୁଣି ପଶି ଆସି ତାଙ୍କୁ ଗାଳିଗୁଲଜ କରିଥିଲେ । ଏପରିକି ତାଙ୍କ ଘରର କବାଟ ଝରକା ୟୋଗେଶ ଭାଙ୍ଗି ଦେଇଥିବା କିରଣ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ପୁଲିସ ସେମାନଙ୍କୁ ଆପୋଷ ବୁଝାମଣା କରିବାକୁ ଉପଦେଶ ଦେଇଥିବା ବେଳେ ଏଜାବତ୍ କୌଣସି ମାମଲା ରୁଜୁ କରି ନାହିଁ । ସୂଚନାଥାଉକି, ୧୯୬୩ ମସିହାରେ ୧୦ ଲକ୍ଷ ଟଙ୍କାରେ ନିରୂପା ଏହି ଏମ୍ବାସି ଆପାର୍ଟମେଂଟ କିଣିଥିଲେ ।