latest

୪୮ଘଂଟାରେ ଚାରି ଜଣଙ୍କୁ ‘ତିନ ତଲାକ’, କାହାକୁ ଯୈାତୁକ ନିର୍ଯାତନା ତ କିଏ ରୋଗୀଣା ଝିଅ ପାଇଁ ମାଗିଥିଲା ଟଙ୍କା

ଉତରପ୍ରଦେଶରେ ଗତ ୪୮ ଘଂଟା ମଧ୍ୟରେ ତିନ ତଲାକର ଚାରୋଟି ଘଟଣା ଘଟିଛି । ତିନ ତଲାକୁ ସୁପ୍ରିମ କୋର୍ଟ ଅସାମ୍ବିଧାନିକ ଘୋଷଣା କରିଛନ୍ତି । ସେହିପରି କେନ୍ଦ୍ର ସରକାର ଏହା ଉପରେ ଆଇନ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତିନ ତଲାକ ବିଲ୍ ଲୋକସଭାରେ ମଧ୍ୟ ଗୃହିତ ହୋଇ ସାରିଲାଣି । ଏହାବାଦ୍ ବି ଉତରପ୍ରଦେଶର ବରେଲି, ସୁଲତାନପୁର, ଗୌଡା ଓ ରାମପୁର ଠାରେ ସାଧାରଣ କଥାକୁ ନେଇ ଚାରି ଜଣ ମୁସଲମାନ ମହିଳାଙ୍କୁ ତିନ ତଲାକର ଶିକାର ହେବାକୁ ପଡିଛି । ଯାହାକୁ ନେଇ ଉତରପ୍ରଦେଶ ସମେତ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି ।

୧- ୟୁପିର ବରେଲିର ତରନ୍ନୁମ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ରଫିକ୍ ପ୍ରଥମେ ମାଡ ମାରିବା ପରେ ତଲାକ ତଲାକ ତଲାକ କହି ଘରୁ ଚାଲିଗଲେ । ଦୁଇ ଜଣଙ୍କ ବିବାହ ୨୦୧୬ରେ ହୋଇଥିଲା । ବିବାହ ସମୟରେ ରଫିକ ଯୈାତୁକକୁ ନେଇ ଅନେକ ସମୟରେ ତରନ୍ନୁମଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ତାଙ୍କୁ ମାରପିଟ୍ କରୁଥିଲେ । ଏହି ରାଗରେ ସେ ତାଙ୍କୁ ତିନ ତଲାକ ଦେଇ ସବୁ ଦିନ ପାଇଁ ସମ୍ପର୍କ ଭାଙ୍ଗି ଚାଲିଗଲେ ।

୨-ସୁଲତାନପୁର ଠାରେ ରୁବିନା ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଦୁବାଇରୁ ଫୋନ୍ କରି ତିନ ତଲାକ ଦେଇଛନ୍ତି । ରୁବିନାଙ୍କ ନିକାହ ୧୭ ମଇ ୨୦୧୨ରେ ହୋଇଥିଲା । ରୁବିନାଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ଯୈାତୁକ ନେଇ ତିନ ତଲାକ ଦେଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ରୁବିନାଙ୍କର ଗୋଟିଏ ଚାରି ବର୍ଷର ଝିଅ ଅଛି ।

୩- ଗୈାଡା ଅଂଚଳରେ ଜଣେ ଦିବ୍ୟାଙ୍ଗ ଝିଅର ଚିକିତ୍ସା ପାଇଁ ଟଙ୍କା ମାଗିବାରୁ ସକିନା ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ମୁବାରକ ତିନ ତଲାକ ଦେଇଛନ୍ତି । ଦୁଇ ଜଣଙ୍କ ବିବାହକୁ ୧୭ ବର୍ଷ ଚାଲିଥିଲା । ଏପରିକି ଦୁଇ ଜଣଙ୍କର ଗୋଟିଏ ୧୪ ବର୍ଷର କରିଷ୍ମା ନାମକ ଜଣେ ଦିବ୍ୟାଙ୍ଗ ଝିଅ ରହିଛି । ମୁବାରକ ଅଲ୍ଲୀ ମୁମ୍ବାଇରେ ଚାକିରି  କରନ୍ତି ।  ଏହି ଚାକିରି ସମୟରେ ଦୁଇ ରୁ ତିନି ଦିନ ପାଇଁ ସେ ଗାଁକୁ ଆସନ୍ତି । ସେ ମୁମ୍ବାଇରେ ଥିବା ସମୟରେ ତାଙ୍କ ଝିଅର ସ୍ୱାସ୍ଥ୍ୟ ଭୀଷଣ ଖରାପ ହୋଇଗଲା । ପତ୍ନୀ ସକିନା ଫୋନରେ ଟଙ୍କା ମାଗିବାରୁ ସେ ତାଙ୍କୁ ତିନ ତଲାକ ଦେଇ ଦେଲେ ।

୪-ରାମପୁରର ଅମରିନ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ତିନ ତଲାକ ଦେଇଛନ୍ତି । ଦୁଇ ମାସ ତଳେ ଅମରିନ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆପ୍ରାକୃତିକ ଯୈାନ ନିର୍ଯାତନା ଓ ଯୈାତୁକ ନିର୍ଯାତନା ନେଇ ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ଦୁଇ ଜଣଙ୍କର କାଉନସେଲିଂ ମଧ୍ୟ ଚାଲିଥିଲା । ହେଲେ ଏହି ସମୟରେ ଜାନୁଆରୀ ୬ ତାରିଖ ଦିନ ତାଙ୍କ ସ୍ୱାମୀ ତାଙ୍କୁ ତିନ ତଲାକ ଦେଇ ଦେଲେ ।