ଟଙ୍କା ଚଡକ: ରୋଗୀଣା ମା’ ପାଇଁ ଆର୍ଥିକ ସହାୟତା ମାଗୁଛନ୍ତି ଅଭିନେତ୍ରୀ!

ଏଭଳି ଏକ ଖବର ଏବେ ସାମ୍ନାକୁ ଆସିଛି ଯାହା ଆପଣଙ୍କ ଛାତିକୁ ତରଳାଇ ଦେବ । ଦୁଇ ଦଶନ୍ଧି ଧରି ଟେଲିଭିଜନ ପରଦାରେ ବିଭିନ୍ନ ଭୂମିକାରେ ଆପଣଙ୍କୁ ବାନ୍ଧି ରଖିଥିବା ଜଣେ ଅଭିନେତ୍ରୀ ଏବେ ଖରାପ ସମୟ ଦେଇ ଗତି କରୁଛନ୍ତି । ମେଗା  ଧାରବାହିକ ‘ଶାଶ୍ ଭି କଭି ବୋହୂ ଥି’ ର ପାୟଲ ଭୂମିକାରେ ଅଭିନୟ କରିଥିବା ଜୟା ଭଟ୍ଟାଚାର୍ଯ୍ୟ ଏବେ ଆର୍ଥିକ ସଙ୍କଟର ପଡିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ତାଙ୍କ ରୋଗୀଣା ମା’ର ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ଏଥିପାଇଁ ସେ ବିଭିନ୍ନ ପ୍ରଯୋଜନା ସଂସ୍ଥା ବୁଲି କାମ ମାଗୁଛନ୍ତି । ଏଥିରୁ ଯାହା ସେ ରୋଜଗାର କରିବେ ସେଥିରେ ତାଙ୍କ ମା’ଙ୍କର ଚିକିତ୍ସା ଖର୍ଚ୍ଛ ବହନ କରିବେ । ଏହି କଥା ସେ ଏକ ଓ୍ୱେବଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି । ତାଙ୍କ ୭୯ ବର୍ଷିୟ ମା’ଙ୍କର ଛାତିରେ ସମସ୍ୟା ଦେଖା ଦେଇଛି । ଯେଉଁଥିପାଇଁ ତାଙ୍କୁ ଗତ ବର୍ଷ ନଭେମ୍ବର ମାସରୁ ହସ୍ପିଟାଲରେ ଭର୍ତି କରିଛନ୍ତି । ଏଥିପାଇଁ ଅନେକ ଟଙ୍କା ଖର୍ଚ୍ଛ ହେଉଛି । ଉକ୍ତ ଖବର ସଂସ୍ଥାକୁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇ ଦଶନ୍ଧି ଧରି ସେ କରିଥିବା କାମ ଓ ଏଥିରୁ ଉପାର୍ଜନ କରିଥିବା ଟଙ୍କାକୁ ସେ ମା’ଙ୍କ ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି । ତଥାପି ସେ ଏଥିରେ ଭାଙ୍ଗିପଡି ନାହାନ୍ତି । ତାଙ୍କର ବିଶ୍ୱାସ ସେ ଭଲ କାମ ପାଇବେ । ଜୟା ଶେଷଥରକ ପାଇଁ କଲର୍ସର ହିଟ୍ ସୋ’ ‘ଥପକି ପ୍ୟାର କି’ ରେ ‘ବସୁନ୍ଧରା ପାଣ୍ଡେ’ ଭୁମିକାରେ ଅଭିନୟ କରିଥିଲେ । ‘କସମ ସେ’, ‘କେଶର’, ‘ହତିମ’ ଆଦି ମେଗା ସିରିଏଲରେ ତାଙ୍କ ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଛି । ଜୟାଙ୍କର ଏପରି ମନୋବଳ ଅନେକଙ୍କୁ ପ୍ରେରଣା ଦେବ ବୋଲି ଆଶା ।