latest

‘ଜୀବନ ସରିଗଲେ ଯାଏ’- କାହିଁକି ମରିବା କଥା କହୁଛନ୍ତି ସୁଶାନ୍ତ ମଣି

“ମନୋରଞ୍ଜନଭରା ଜୀବନ ଥିଲା । ହେଲେ ଇଣ୍ଟର୍ଭାଲ୍ ଯାଏ… । ସେକେଣ୍ଡ ହାପରେ ଏତେ ଟ୍ରାଜେଡି କିଏ ଦେଖିବ? ଯେତେ ଶୀଘ୍ର ସରିଗଲେ ଯାଏ ।” ଏହା କୌଣସି ଚଳଚ୍ଚିତ୍ରର ସଂଳାପ ନୁହେଁ ବରଂ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଜଣେ ନିର୍ଦ୍ଦେଶକଙ୍କର ଶୋସାଲ ମିଡିଆରେ ଏ ହେଉଛି ବୟାନ । ଓଲିଉଡରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ନିର୍ଦ୍ଦେଶକ ସୁଶାନ୍ତ ମଣି ଶୋସାଲ ମିଡିଆରେ ଏଭଳି କିଛି ପୋଷ୍ଟ କରିଛନ୍ତି । ଯାହା ଗତ ଦୁଇ ଦିନ ହେବ ଚର୍ଚ୍ଚାରେ ରହିଛି । ସବୁବେଳେ ସିରିୟସ ଚଳଚ୍ଚିତ୍ର ନିର୍ମାଣ କରୁଥିବା ସୁଶାନ୍ତ କାହିଁକି ଏଭଳି ପୋଷ୍ଟ କରିଛନ୍ତି ଏହାକୁ ନେଇ ଏବେ ଅନେକ ଆଲୋଚନାପ୍ରତ୍ୟାଲୋଚନା । ତାଙ୍କର ଅନେକ ଚଳଚ୍ଚିତ୍ର ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲେ ମଧ୍ୟ ବ୍ୟବସାୟୀକ ସଫଳତା ଦେଇ ପାରିନାହିଁ । ଯାହାକୁ ନେଇ ‘ଲୈଲା ଓ ଲୈଲା’ ନାଁରେ ସେ ପ୍ରଥମଥର ପାଇଁ ବ୍ୟବସାୟୀକ (କମରସିଆଲ୍) ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଏହାକୁ ନେଇ ସେ ଆଉ ମାନସିକ ଚାପରେ ନାହାନ୍ତି ତ? ବଲିଉଡ୍, ଟଲିଉଡ୍ ଓ ମରାଠୀ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମାନେ ସେମାନଙ୍କର ଚଳଚ୍ଚିତ୍ରକୁ ନେଇ ଅତୀତରେ ଆତ୍ମହତ୍ୟା କରିଥିବା ଅନେକ ନଜିର ରହିଛି । ଏଠାରେ ପ୍ରକାଶଥାଉକି, ଗତକିଛି ଦିନ ତଳେ ସୁଶାନ୍ତଙ୍କ ମା’ଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ମଧ୍ୟ ସେ ମାନସିକ ଚାପରେ ଥିବା କୁହାଯାଉଛି । ତାଙ୍କ ମା’ଙ୍କୁ ସେ ଗଭୀର ଭାବେ ଭଲ ପାଉଥିବା ବେଳେ ତାଙ୍କ ମୃତ୍ୟୁରେ ସେ ଭାଙ୍ଗି ପଡିଥିବା ତାଙ୍କ ନିକଟତମ ଲୋକମାନେ କହିଛନ୍ତି । ସୋସାଲ ମିଡିଆରେ ଏହି ପୋଷ୍ଟକୁ ନେଇ ଆମର ସୁଶାନ୍ତ ମଣୀଙ୍କ ସହ ଯୋଗାଯୋଗ ସମ୍ବବପର ହୋଇ ପାରି ନାହିଁ ।
ଇତିହାସ ପୃଷ୍ଠାରୁ
୧୯୬୪ ମସିହା ଅକ୍ଟୋବର ୧୦ ବଲିଉଡର ପ୍ରଯୋଜକ-ନିର୍ଦ୍ଦେଶକ ଓ ଅଭିନେତା ବସନ୍ତ କୁମାର ଶିବଶଙ୍ଗର ପାଦୁକୋନ ତଥା ଗୁରୁ ଦତ୍ତ ନାଁରେ ପରିଚିତ ଏହି ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଥିଲେ । ମଦରେ ଅତ୍ୟଧିକ ସ୍ଲିପିଙ୍ଗ ବଟିକା ମିଶାଇ ସେ ବମ୍ବେରେ ଥିବା ତାଙ୍କ ଭଡା ଘରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ଏହାକୁ ଓଭରଡୋଜ୍ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ କହିଥିଲେ । ‘ପ୍ୟାସା’, ‘କାଗଜ କେ ଫୁଲ୍’ ଭଳି ଚିର ସବୁଜ ଚଳଚ୍ଚିତ୍ର ନିର୍ମାଣ କରିଥିବା ଗୁରୁ ଦତ୍ତଙ୍କର କିଛି ଚଳଚ୍ଚିତ୍ର ବ୍ୟବସାୟୀକ ବିଫଳତା ପାଇଥିଲା । ଯାହାକୁ ନେଇ ସେ ମାନସିକ ଚାପରେ ରହିଥିବା ତାଙ୍କ ପରିବାର ଲୋକେ କହିଥିଲେ । ହୁଏତ ଏହି କାରଣରୁ ସେ ମଦ ସହ ନିଦ ବଟିକା ଅଧିକ ଖାଇ ଚିରନିଦ୍ରାରେ ଶୋଇ ପଡିଥିଲେ ।
– ୨୦୧୭ ନଭେମ୍ବର ୧୦ ତାରିଖ ଭୋଜପୁରୀ ଫିଲ୍ମ ନିର୍ଦ୍ଦେଶକ ସହଦ କୁମାର (୫୦) ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ । ବେକରେ କପଡା ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ କହିଥିଲା । ଚଳଚ୍ଚିତ୍ରରେ ବାରମ୍ବାର ବିଫଳତା ତାଙ୍କ ଆତ୍ମହତ୍ୟାର କାରଣ ବୋଲି ପୁଲିସ ତଦନ୍ତ ସମୟରେ ଜଣାପଡିଥିଲା ।
-୨୦୧୭ ନଭେମ୍ବର ୨୩ ତାମିଲ ଫିଲ୍ମର ପ୍ରଯୋଜକ-ନିର୍ଦ୍ଦେଶକ ଅଶୋକ କୁମାର (୪୩) ଙ୍କ ମୃତଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହି ଆତ୍ମହତ୍ୟା ସମୟରେ ସେ ଏକ ଦୁଇ ପୃଷ୍ଠା ସମ୍ବଳିତ ସୁଇସାଇଡ୍ ନୋଟ୍ ଛାଡି ଯାଇଥିଲେ । ଯେଉଁଥିରେ ଚଳଚ୍ଚିତ୍ର ପାଇଁ ଆଣିଥିବା ଅତ୍ୟଧିକ ଋଣ ଏହି ଆତ୍ମହତ୍ୟାର କାରଣ ବୋଲି ଲେଖାଯାଇଥିଲା । ଏଥିସହ ତାଙ୍କ ଚଳଚ୍ଚିତ୍ର ବ୍ୟବସାୟୀକ ସଫଳତା ପାଉନଥିବାରୁ ସେ ଋଣ ସୁଝିପାରୁନଥିବା ମଧ୍ୟ ଲେଖିଥିଲେ ।
-୨୦୧୭ ମେ ୧୪ ତାରିଖ ମରାଠୀ ଫିଲ୍ମ ପ୍ରଯୋଜକ ଅତୁଲ ଟିପକରି ବିଷ ପିଇ ଆତ୍ମହତ୍ୟା କରିଥିଲେ । ତେବେ ଏହା ପୂର୍ବରୁ ଆତ୍ମହତ୍ୟା ସମ୍ପର୍କରେ ସେ ତାଙ୍କ ଫେସବୁକ୍ ସାଇଡରେ ବୟାନ ରଖିଥିଲେ । ଗୋଟିଏ ପଟେ ଚଳଚ୍ଚିତ୍ରରେ ବ୍ୟବସାୟୀକ ବିଫଳତା ଲାଗିରହିଥିବା ବେଳେ ଅପରପକ୍ଷରେ ତାଙ୍କ ପତ୍ନୀ ଓ ପରିବାର ପକ୍ଷରୁ ସେ ମାନସିକ ଚାପରେ ରହୁଥିବା ହେତୁ ସେ ଆତ୍ମହତ୍ୟା କରୁଥିବା କହିଥିଲେ । ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।