ଟଳିଲା ତିତଲି, ତଥାପି 88 ଗାଁ ବିପଦରେ

ସମୁଦ୍ର ଭିତରେ ‘ତିତଲି   ଭୟଙ୍କର ରୂପ ନେଉଥିବା ଜଣାପଡ଼ିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରେଡ୍ ଆଲର୍ଟ ଏରିଆରେ ପୁରୀ ଜିଲ୍ଲା ଆସୁଥିବାରୁ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରିଦିଆଯାଇଛି । ‘ତିତଲି’ରେ ପୁରୀ ଜିଲ୍ଲାର ସଦର ବ୍ଲକ୍, ଅସ୍ତରଙ୍ଗ, କାକଟପୁର, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ଗୋପ ବ୍ଳକରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ଥିବାରୁ ଏଠାରେ ସତର୍କ ଦୃଷ୍ଟି ଦିଆଯାଇଛି। ବିପର‌୍ୟ୍ୟୟ ମୁକାବିଲା ପାଇଁ ସ୍ବତନ୍ତ୍ର ଭାବେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।  ଲୋକମାନଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରି ଦିଆଯାଇଥିବା ବେଳେ ପର‌୍ୟ୍ୟଟକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦେଶ ଦିଆଯାଇଛି। ପୁରୀ ଜିଲ୍ଲାର ସଦର ବ୍ଲକ୍, ଅସ୍ତରଙ୍ଗ ବ୍ଲକ୍, କାକଟପୁର ବ୍ଲକ୍, ବ୍ରହ୍ମଗିରି ବ୍ଲକ୍, କୃଷ୍ଣପ୍ରସାଦ ବ୍ଲକ୍ ଓ ଗୋପ ବ୍ଲକର 88ଟି ଗାଁ ସୁନାମୀପ୍ରବଣ ହୋଇଥିବାବେଳେ ଏଠାରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଉପରୋକ୍ତ ବ୍ଲକର 88ଟି ଗାଁ ସମୁଦ୍ର ତଟବର୍ତୀ ଅଞ୍ଚଳରେ ଥିବାରୁ ଏଠାରେ ସତର୍କ ଦୃଷ୍ଟି ରଖିବାକୁ ବ୍ଲକ୍ ପ୍ରଶାସନ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳ ଶ୍ରୀ ଦାସ ଗତକାଲି ସମୁଦ୍ର ତଟବର୍ତୀ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଥିଲେ । ଗତକାଲି ସକାଳୁ ଜିଲ୍ଲାପାଳ ପେଣ୍ଠକଟା ଓ ଚନ୍ଦ୍ରଭାଗା ନୋଳିଆ ସାହି ପରିଦର୍ଶନ କରିବା ପରେ ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳ ଓ ବିଦ୍ୟାଳୟକୁ ସ୍ଥାନାନ୍ତର ନିର୍ଦେଶ ଦିଆଯାଇଥିଲା। ପେଣ୍ଠକଟାଠାରେ ପ୍ରାୟ 2 ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କୋଣାର୍କରେ ବି ସମୁଦ୍ର ତଟବର୍ତୀ ଅଞ୍ଚଳର ଲୋକଙ୍କୁ ନିକଟସ୍ଥ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ନିର୍ଦେଶ ଦିଆଯାଇଛି। ଅଘଟଣକୁ ଏଡ଼ାଇବା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଜିଲ୍ଲା ଓ ବ୍ଲକ୍ସ୍ତରରେ ଏହି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବିଡ଼ିଓ ଏବଂ ତହସିଲଦାରମାନଙ୍କୁ ସଜାଗ ଦୃଷ୍ଟି ରଖିବାକୁ ନିର୍ଦେଶ ଦିଆଯାଇଛି।

Tags:

Leave a Reply

Your email address will not be published. Required fields are marked *