ଚାପ ପରେ ହ୍ୱାଟ୍ସଆପ୍ ଜାରିକଲା ଷ୍ଟାଟସ୍

ଚାପ ପରେ ହ୍ୱାଟ୍ସଆପ୍ ଜାରିକଲା ଷ୍ଟାଟସ୍
ଚାପ ପରେ ହ୍ୱାଟ୍ସଆପ୍ ଜାରିକଲା ଷ୍ଟାଟସ୍

ନୂଆଦିଲ୍ଲୀ,ପ୍ରବଳ ସମାଲୋଚନା ତଥା ଭାରି ସଂଖ୍ୟାରେ ବ୍ୟବହାରକାରୀ ହ୍ୱାଟ୍ସଆପ୍ ଛାଡ଼ିଲାପରେ ଆମେରିକୀୟ କମ୍ପାନୀ ହ୍ୱାଟ୍ସଆପ୍ ତା’ର ଗୋପନୀୟତା ନୀତିକୁ ମେ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି। । ନୂଆ ନୀତିକୁ ଫେବୃଆରୀ ୮ରୁ ଲାଗୁ କରିବ ବୋଲି ଘୋଷଣା କରିଥିଲା। ଏବେ ଏହି ନୀତିରେ ପରିବର୍ତ୍ତନ ଆଣିଛି। ନୂଆ ନୀତିରେ ଗ୍ରାହକଙ୍କ ତଥ୍ୟକୁ ଫେସବୁକକୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ବ୍ୟବହାରକାରୀଙ୍କ ପାଖକୁ ଏହି ସଂକ୍ରାନ୍ତୀୟ ବାର୍ତ୍ତା ମଧ୍ୟ ପ୍ରେରଣ କରାଯାଇଥିଲା। ଏହି ବାର୍ତ୍ତାକୁ ଗ୍ରହଣ ନକଲେ ଫେବୃଆରୀ ୮ ପରେ ହ୍ୱାଟ୍ସଆପ୍ କାର୍ଯ୍ୟ କରିବ ନାହିଁ ବୋଲି  କୁହାଯାଇଥିଲା। ଏହି ଖବର ଆସିଲାପାରେ ବିଶ୍ୱର ଅନେକ ବ୍ୟକ୍ତି ହ୍ୱାଟ୍ସଆପ୍ ପରିତ୍ୟାଗକରି ସିଗ୍ନାଲ୍, ଟେଲିଗ୍ରାମ୍ ଆଦି ଅନ୍ୟାନ୍ୟ ଆପକୁ ଆପଣେଇଲେ। ଏହା ପରେ ହ୍ୱାଟ୍ସଆପ୍ ପକ୍ଷରୁ ଖବରକାଗଜରେ ବିଜ୍ଞାପନ ଦେଇ ସଫେଇ ଦିଆଯାଇଥିଲା। ଭାରତରେ ଏହି ବିବାଦ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ବିଭିନ୍ନ ଟ୍ରେଡ୍ ସଂଗଠନମାନେ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନକରି ଟେକ୍ନିକାଲ୍ ଅଡ଼ିଟ୍ କରାଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଥିଲେ। ହ୍ୱାଟ୍ସଆପ୍ ଏକ ବିବୃତିରେ କହିଛି ଯେ ଗ୍ରାହକ ନୂଆ ନୀତିକୁ ବୁଝନ୍ତୁ। ତା’ପରେ ସହମତ ହୁଅନ୍ତୁ। ନୂଆ ନୀତି ଅନେକ ଦ୍ୱନ୍ଦ ସୃଷ୍ଟି କରିଛି। ଆମେ ନୂଆ ନୀତିକୁ ମେ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଉଛୁ। ୮ ଫେବୃଆରୀରେ କାହାରି ଆକାଉଣ୍ଟ୍ ଡିଲିଟ୍ ହେବନାହିଁ ବୋଲି ସ୍ପଷ୍ଟ କରିଛି। ଏଣିକି ଆଉ ବ୍ୟବହାରକାରୀମାନଙ୍କୁ ଡାଟା ସେୟାର କରିବାପାଇଁ ସମ୍ମତି ଦେବାକୁ ପଡ଼ିବନାହିଁ।