ଧର୍ମେନ୍ଦ୍ରଙ୍କୁ ପ୍ରସ୍ତାବ ଦେଇଥିଲି, ଟେକଅପ୍ କରିଥିବାରୁ ଖୁସି

ଧର୍ମେନ୍ଦ୍ରଙ୍କୁ ପ୍ରସ୍ତାବ ଦେଇଥିଲି, ଟେକଅପ୍ କରିଥିବାରୁ ଖୁସି
ଧର୍ମେନ୍ଦ୍ରଙ୍କୁ ପ୍ରସ୍ତାବ ଦେଇଥିଲି, ଟେକଅପ୍ କରିଥିବାରୁ ଖୁସି

ଭୁବନେଶ୍ୱର, ରାଜଧାନୀର ସବୁଠୁ ବଡ଼ ଜଳାଶୟ ତଥା ଲିଙ୍ଗରାଜ କ୍ଷେତ୍ରର ଅନ୍ୟତମ ପ୍ରମୁଖ ଆକର୍ଷଣସ୍ଥଳୀ ହେଉଛି ବିନ୍ଦୁସାଗର ହ୍ରଦ । ଏହାର ଜଳକୁ ପରିଷ୍କାର କରିବା ଲାଗି ଶନିବାର ‘ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ’ ଉଦଘାଟିତ ହୋଇଛି। ଆଇଓସିଏଲ୍ ସିଏସ୍ଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଏଥିପାଇଁ ମିଳିଛି। ବିଧାୟକ ସୁରେଶ ରାଉତରାୟ ବହୁ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏ ବାବଦରେ ଦୃଷ୍ଟିଦେବାକୁ ପ୍ରସ୍ତାବ ଦେଇଥିଲେ। ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି।

ଶ୍ରୀ ରାଉତରାୟ କହିଛନ୍ତି ଯେ, ୧୯୭୮ ମହିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଧରି ବିନ୍ଦୁସାଗର କାମ ହାତକୁ ନେଇଥିଲୁ। ଗୁଣନିଧି ମହାପାତ୍ର ମ୍ୟୁନିସିପାଲଟି ଚେୟାରମ୍ୟାନ୍ ଥିବାବେଳେ ସମସ୍ତ ମାଟି ଉଠିଯାଇଥିଲା। ହେଲେ ତା’ପରେ ବିନ୍ଦୁସାଗରର ରକ୍ଷଣାବେକ୍ଷଣ ଠିକ୍ ଭାବରେ କରାଗଲା ନାହିଁ। ଫଳରେ ପୁଣି ପଙ୍କ ସୃଷ୍ଟିହେଲା। ୧୯୮୧ ମସିହାରେ ପୁଣି ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଧରି ବିନ୍ଦୁସାଗରକୁ ଶୁଖାଯାଇ ପଙ୍କ କଢ଼ାଯାଇଥିଲେହେଁ ସେହି ପରିସ୍ଥିତି ରହିଆସିଥିଲା। ଏଣୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏକ ଭଲ ପ୍ରକଳ୍ପ ଏଥିଲାଗି ହାତକୁ ନିଆଯିବା ଖୁସିର ବିଷୟ।
ସେ ଏହାମଧ୍ୟ କହିଛନ୍ତି, ବାଜପେୟୀଙ୍କ ପ୍ରଧାମନ୍ତ୍ରୀତ୍ୱ ସମୟରେ ସେତେବେଳର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧଉଳି ଆସିବା ପାଇଁ ବିଧାୟକ ହିସାବରେ ନିମନ୍ତ୍ରଣ ଦେଇଥିଲି। ସେ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଧଉଳି ବୁଲିବାପାଇଁ ଆସିଥିଲେ। ଧଉଳି ପରିଭ୍ରମଣ କରିବା ସମୟରେ ୫କୋଟି ଟଙ୍କା ଧଉଳିପାଇଁ ଅନୁଦାନ ଦେଇଥିଲେ।

ସେତେବେଳ ମଧ୍ୟ ବିନ୍ଦୁସାଗର ପାଇଁ ୫କୋଟି ଦେଇଥିଲେ। ସେହି ଅର୍ଥରେ ବିନ୍ଦୁସାଗର ଚାରିପାଖରେ ପଥର ବସିଥିଲା। ଏବେ ମୁଖ୍ୟମନ୍ତ୍ରୀ ଚାରିପାଖରେ କେବଳ ଲାଇଟ୍ ସଜେଇଛନ୍ତି। ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛି ବିଶ୍ୱପ୍ରସିଦ୍ଧ ବିନ୍ଦୁସାଗର ନଷ୍ଟ ହୋଇଯାଉଛି। ଏହାର ଉନ୍ନତିକରଣ ପାଇଁ ପଦକ୍ଷେପ ନିଅ। ଉଦ୍ଘାଟିତ ହୋଇଥିବା ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରାଉତରାୟଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିନ୍ଦୁସାଗର ଉନ୍ନତୀକରଣ ତଥା ଲିଙ୍ଗରାଜ କ୍ଷେତ୍ରର ବିକାଶ ଦିଗରେ ଶ୍ରୀ ରାଉତରାୟଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ପ୍ରଧାନ କହିଥିଲେ।