ଫନୀ’ ସହାୟତା ୧୬୦୦ କୋଟିର ସ୍ବତନ୍ତ୍ର ପ୍ୟାକେଜ

Spread the News
ବାତ୍ୟା ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର ଶନିବାର ୧୬୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫସଲ, ଫଳ, ପନିପରିବା, ଗଛଲତା ଏବଂ ଚାଷ ଭିତ୍ତିଭୂମି କ୍ଷତିର ଭରଣା ପାଇଁ ଏହି ସହାୟତା ଘୋଷଣା କରିଛନ୍ତି। ଏଥିସହିତ ପ୍ରାଣୀ ସମ୍ପଦ, ମତ୍ସ୍ୟ, ହସ୍ତତନ୍ତ ଓ ବୟନ ଶିଳ୍ପ ବାତ୍ୟା ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବାରୁ ଏସବୁର କ୍ଷତି ମଧ୍ୟ ଏହି ପ୍ୟାକେଜରୁ ଭରଣା କରାଯିବ। ଏହି କ୍ଷତି କେବଳ ପ୍ରକୃତ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 

 ‘ଫନୀ’ ମାଡ଼ରେ ୩୩ ପ୍ରତିଶତରୁ ଊର୍ଦ୍ଧ୍ୱ କ୍ଷତିଗ୍ରସ୍ତ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା, ଜଳ ସେଚିତ ଜମି ପାଇଁ ୧୩,୫୦୦ ଏବଂ ସବୁଦିନିଆ ଫସଲ(ଆମ୍ବ,କାଜୁ, ନଡ଼ିଆ,ପାନ, କଓ୍ବୋ) ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ବାରମାସି ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସର୍ବନିମ୍ନ ହେକ୍ଟର ପିଛା ୨ହଜାର ଏବଂ ଅନ୍ୟାନ୍ୟ ଫସଲ ପାଇଁ ସର୍ବନିମ୍ନ ୧ହଜାର ଟଙ୍କା ଇନ୍‌ପୁଟ ସବ୍‌ସିଡି ଆକାରରେ ପ୍ରଦାନ କରାଯିବ।

୨୦୧୯-୨୦ ଖରିଫ ଫସଲ ପାଇଁ ଫନୀ ପ୍ରଭାବିତ ଚାଷୀଙ୍କୁ ୧ଲକ୍ଷ ପନିପରିବା ମଞ୍ଜିର କିଟ୍‌ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ଖରିଫ ଚାଷବେଳେ ଆଖୁଚାଷ ପାଇଁ ୫୦ହେକ୍ଟର ଜମିରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇଥିବା ୫ହଜାର ହେକ୍ଟର ଆଖୁଚାଷ ପାଇଁ ପ୍ରତି ହେକ୍‌ଟର ପିଛା ୨୦ ହଜାର ଟଙ୍କା  ପ୍ରଦାନ କରାଯିବ।  କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦ପ୍ରତିଶତ ରିହାତିରେ ୫ ହଜାର ପମ୍ପ୍‌ସେଟ ସର୍ବାଧିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ସେହିପରି ଫନୀ ପ୍ରଭାବିତ ଚାଷୀଙ୍କୁ ୧୦ହଜାର ଔଷଧ ସିଞ୍ଚନ ମେଶିନ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩୮୦୦ ଟଙ୍କା ବ୍ୟାଟେରିଚାଳିତ ପାଇଁ ଓ ହାତରେ ଚଳାଇବା ସ୍ପ୍ରେୟର ପାଇଁ ୬୦୦ ଟଙ୍କା ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି। ମଞ୍ଜି ବିଶୋଧନ ପାଇଁ ୨ ହଜାର କ୍ୟାମ୍ପ୍‌ରେ ୨ଲକ୍ଷ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିସହିତ ୨ ଲକ୍ଷ ଏକର ପାଇଁ ମାଗଣା ମଞ୍ଜି ବିଶୋଧନ ନିମନ୍ତେ କେମିକାଲ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ସେହିପରି ଖରିଫ ଋତୁ ପାଇଁ ତୁରନ୍ତ ଉତ୍ତମ ବିହନ ବଣ୍ଟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ। ଫାର୍ମ ମେକାନାଇଜେଶନ ସବ୍‌ସିଡି ବାବଦରେ ଚାଷୀମାନଙ୍କୁ ୧୫୦କୋଟି ଟଙ୍କା ପ୍ରଦାନ କରାଯିବ। ପାନବରଜ ସକାଶେ ୫ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଡବ୍ଲ୍ୟୁଏସ୍‌ଏଚ୍‌ଜି)ଙ୍କୁୁ ୧୫ ହଜାର ଟଙ୍କା ଲେଖାଏ  ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ। ୧ହଜାର ଛତୁ ଚାଷ ୟୁନିଟ ପାଇଁ ୪୦ହଜାର ଟଙ୍କା ଲେଖାଏ ଏବଂ ୫୦୦ ମହୁଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏ ସହାୟତା ଦିଆଯିବ। ୫୦ହଜାର ପ୍ରଭାବିତ ଚାଷୀଙ୍କୁ ୫ଟି ଆମ୍ବ ଓ ୫ଟି ନଡିଆ ଚାରା ଯୋଗାଇ ଦିଆଯିବ। ୧୦ହଜାର ହେକ୍ଟରରେ ଫଳଚାରା ଲଗାଇ ୩ ବର୍ଷ ପାଇଁ ସହାୟତା ଯୋଗାଇ ଦିଆଯିବାକୁ ପ୍ୟାକେଜରେ ଘୋଷଣା କରାଯାଇଛି। ୧୬୫୦ କଦଳୀ ଚାଷୀଙ୍କୁ ହେକ୍ଟର ପିଛା ୨୫,୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ।

୩୩ ପ୍ରତିଶତ ଏବଂ ଏହାଠାରୁ ଅଧିକ ଫସଲ ହାନି ହୋଇଥିବା ଚାଷୀଙ୍କ ରବି ଶସ୍ୟ ଋଣକୁ ମଧ୍ୟବର୍ତ୍ତିକାଳୀନ ଋଣରେ ପରିବର୍ତ୍ତନ କରାଯିବ। ରବି ପାଇଁ ନେଇଥିବା ଋଣକୁ ଚାଷୀମାନଙ୍କୁ ପରିଶୋଧ କରିବାକୁ ୨୦୨୦ ଜୁନ୍‌ ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଅଧିକ ସଂଖ୍ୟକ ନାମମାତ୍ର ଓ ଭାଗଚାଷୀଙ୍କୁ ଚିହ୍ନଟ କରିବାକୁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍‌ ଗଠନ କରାଯିବା ସହ ଶସ୍ୟବୀମା ପାଇବା ପାଇଁ କ୍ରପ୍‌ କଟିଂକୁ ତ୍ୱରାନ୍ବିତ କରାଯିବ। 

Tags: