୪୬ ଗୁରୁଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

Spread the News

ଶିକ୍ଷାର ଗୁଣାବତ୍ତା, ପାଠକୁ ରୋଚକ କରିବାକୁ ନୂତନ ଶିକ୍ଷା ପଦ୍ଧତି ଅବଲମ୍ବନ କରିବା ଏବଂ ପିଲାଙ୍କୁ ସଠିକ୍‌ ମାର୍ଗରେ ପରିଚାଳିତ କରୁଥିବା ଶିକ୍ଷକମାନଙ୍କୁ ଆଜି ପବିତ୍ର ଗୁରୁ ଦିବସରେ ସମ୍ମାନିତ କରାଯିବ । ଦେଶର ବଛା ବଛା ୪୬ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନୀତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡ଼ିଶା ସମେତ ଜମ୍ମୁ ଓ କାଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡ ସହ ବହୁ ରାଜ୍ୟର ଶିକ୍ଷକମାନଙ୍କୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବରେ ସମ୍ମାନୀତ କରାଯିବ ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜନ ହେଉଥିବା ଜାତୀୟ ଶିକ୍ଷକ ସମ୍ମାନ-୨୦୧୯ ପାଇଁ ଓଡ଼ିଶାରୁ ପବିତ୍ରମୋହନ ଦାଶ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୋରିଗୁମା ଅଞ୍ଚଳର ଖଟାଲୁଗୁଡ଼ା ପିୟୁପିଏସ୍‌ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି ।

ତେବେ ପ୍ରଥମ ଥର ପାଇଁ ଜାତୀୟ ଶିକ୍ଷକ ସମ୍ମାନରେ ସୈନିକ ସ୍କୁଲର ଶିକ୍ଷକମାନଙ୍କୁ ସାମିଲ କରାଯାଇଛି । ଛତିଶଗଡ଼ ଅମ୍ବିକାପୁରର ପିଜିଟି ଇଂରାଜୀ ଶିକ୍ଷକ ବିଜୟ କୁମାର ପାଣ୍ଡେ ଏବଂ ମୁମ୍ବାଇ ଅଟୋମିକ ଏନର୍ଜି ସେଣ୍ଟ୍ରାଲ ସ୍କୁଲର ପିଜିଟି ଶିକ୍ଷକ ଡାକ୍ତର ଏ ଜୁବିନ ଜିୟୋଲଙ୍କୁ ସମ୍ମାନୀତ କରାଯିବ । ସେହିପରି କେନ୍ଦ୍ରୀ ବିଦ୍ୟାଳୟ ଓ ସିବିଏସ୍‌ ବିଦ୍ୟାଳୟ ଗୁଡ଼ିକରୁ ମଧ୍ୟ ଦୁଇ ଜଣ ଲେଖାଏଁ ଶିକ୍ଷକ ମନୋନୀତି ହୋଇଛନ୍ତି । ପୁରସ୍କାର ବାବଦକୁ ଶିକ୍ଷକମାନଙ୍କୁ ଉତ୍କର୍ଷତାର ମାନପତ୍ର ସହ ନଗଦ ୫୦ ହଜାର ଟଙ୍କା ଏବଂ ରୌପ୍ୟଫଳକ ପ୍ରଦାନ କରାଯିବ ।