ଗତକାଲି ଚିହ୍ନଟ ୪ ପଜିଟିଭରୁ ଜଣେ କେନ୍ଦ୍ରାପଡ଼ାର

Spread the News

ଗତକାଲି ରାଜ୍ୟରେ ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି। ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି।

ଜିଲ୍ଲାର ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣେ ମହିଳା। ସେ ରାଜନଗର ଅଞ୍ଚଳର ବାସିନ୍ଦା। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାୟୀ, ଏହି ମହିଳା ଜଣଙ୍କ ବାହାର ରାଜ୍ୟକୁ ଯାଇଥିଲେ। ସେଠାରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ଥିଲେ। ତେବେ ସ୍ୱାବ ନମୁନା ପରୀକ୍ଷା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତାଙ୍କ ଅବସ୍ଥା ଭଲ ଅଛି। ତାଙ୍କୁ ନିକଟସ୍ଥ କୋଭିଡ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଜିଲ୍ଲାପାଳ କହିଛନ୍ତି ଯେ ଏହି ମହିଳାଙ୍କ ପରିବାର ଲୋକଙ୍କ ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରାଯାଇଛି ଓ ସେମାନଙ୍କ ସ୍ୱାବ୍ ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ତା’ସହିତ ଏହି ମହିଳାଙ୍କ ଗାଁ ଓ ପାଖରେ ଥିବା ଆଉ ଏକ ଗାଁକୁ ସିଲ୍ କରାଯାଇ ସାନିଟାଇଜ୍ କରାଯାଉଛି। ତେବେ କେହି ଭୟଭୀତ ନହେବା ପାଇଁ ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାତିରେ ଏହି ୪ଟି ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଯାଇଛି। ଏଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଏବେବି ୪୧ଟି ଆକ୍ଟିଭ କେସ୍ ଅଛି। ଅର୍ଥାତ୍ ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ସେମାନଙ୍କ ଚିକିତ୍ସା ଚାଲିଛି।

Tags: