ମାଷ୍ଟର ବ୍ଲାଷ୍ଟରଙ୍କୁ କ୍ଷମା ମାଗିଲା କ୍ରୀଡ଼ା କମ୍ପାନୀ ସ୍ପାର୍ଟନ୍‌ ସ୍ପୋର୍ଟସ୍‌ ଗ୍ରୁପ୍‌

Spread the News

ଅଷ୍ଟ୍ରେଲିଆର କ୍ରୀଡ଼ା ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ ସ୍ପାର୍ଟନ୍‌ ସ୍ପୋର୍ଟସ୍‌ ଗ୍ରୁପ ସହିତ କ୍ରିକେଟ୍‌ କିମ୍ୱଦନ୍ତୀ ସଚିନ୍‌ ତେନ୍ଦୁଲକର ୨୦୧୬ରେ ଚୁକ୍ତିନାମା କରିଥିଲେ । ଏହାପରେ ବିଶ୍ୱବ୍ୟାପୀ କମ୍ପାନୀ ଉତ୍ପାଦଗୁଡ଼ିକର ପ୍ରଚାର ପ୍ରସାର କରିଥିଲେ ସଚିନ୍‌ । ଏଥିରୁ ଯଥେଷ୍ଟ ଆର୍ଥିକ ଫାଇଦା ହାସଲ କରିଥିଲା ଏହି ଅଷ୍ଟ୍ରେଲୀୟ କମ୍ପାନୀ । ରିପୋର୍ଟ ଅନୁସାରେ ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ସଚିନ୍‌ କମ୍ପାନୀର ଉତ୍ପାଦଗୁଡ଼ିକର ପ୍ରଚାର କରିବା ପରେ ୨୦୧୮ ସେପ୍ଟେମ୍ବର ୧୭ରେ କମ୍ପାନୀ ପକ୍ଷରୁ ଚୁକ୍ତିନାମାକୁ ରଦ୍ଦ କରାଯାଇଥିଲା । ଏ ସଂକ୍ରାନ୍ତରେ ସଚିନ୍‌ଙ୍କୁ ନିକଟକୁ ନୋଟିସ୍ ପଠାଯାଇଥିଲା । ତାଙ୍କ ନାମକୁ ନେଇ କମ୍ପାନୀ ବ୍ୟବସାୟିକ ସଫଳତା ପାଇଲା ପରେ ହଠାତ୍ ଚୁକ୍ତିନାମାରୁ ଓହରି ଯିବାକୁ କମ୍ପାନୀର ନିଷ୍ପତ୍ତିରେ ଆଚମ୍ୱିତ ହୋଇଥିଲେ ସଚିନ୍‌ । ଏହାସହିତ ଚୁକ୍ତି ମୁତାବକ ସ୍ପାର୍ଟନ୍‌ ସ୍ପୋର୍ଟସ୍‌ ଗ୍ରୁପ୍‌ କମ୍ପାନୀ ମାଷ୍ଟର ବ୍ଲାଷ୍ଟର ସଚିନ୍‌ଙ୍କୁ ଆବଶ୍ୟକ ଅର୍ଥ ପ୍ରଦାନ କରିବାରେ ମଧ୍ୟ ଟାଳଟୁଳ ନୀତି ଅବଲମ୍ୱନ କରିଥିଲା । ଏଣୁ, ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ସଚିନ୍‌ ଅଷ୍ଟ୍ରେଲିଆର ଫେଡେରାଲ ସର୍କିଟ କୋର୍ଟରେ ୨୦୧୯ ଜୁନ୍‌ରେ ଏକ ମୋକଦମା ଦାୟର କରିଥିଲେ । କୋର୍ଟ ଏଭଳି କାର୍ଯ୍ୟ ପାଇଁ ସଚିନ୍‌ଙ୍କୁ କ୍ଷମା ମାଗିବା ସହିତ ବକେୟା ଅର୍ଥ ତୁରନ୍ତ ଭରଣା ଲାଗି ଉକ୍ତ ସ୍ପାର୍ଟନ୍‌ ସ୍ପୋର୍ଟସ୍‌ ଗ୍ରୁପ୍‌କୁ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାର ଅନୁସରଣପୂର୍ବକ ଉକ୍ତ କମ୍ପାନୀର ସଭାପତି ଲେସ୍‌ ଗାଲବ୍ରେଥ ସଚିନଙ୍କୁ କ୍ଷମା ମାଗିଥିବା ଜଣାପଡ଼ିଛି । ସ୍ପାର୍ଟନ୍‌ ସ୍ପୋର୍ଟସ୍‌ ଗ୍ରୁପ୍‌ କମ୍ପାନୀ ତରଫରୁ ସଚିନ୍‌ଙ୍କୁ ସନ୍ତୁଷ୍ଟି ପ୍ରଦାନ ପାଇଁ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ଗାଲବ୍ରେଥ । ଏହି ସମସ୍ତ ଘଟଣା ଉପରେ ନିଜର ପ୍ରତିକ୍ରିୟା ଦେଇ ସଚିନ୍‌ଙ୍କ ସିଇଓ ମିର୍‌ମନି ମୁର୍ଖାଜୀ କହିଛନ୍ତି ଯେ, ସଚିନ୍‌ଙ୍କ ଲୋକପ୍ରିୟତାର ବ୍ୟବହାର କରି ତାଙ୍କ ନାମକୁ ନେଇ ଆର୍ଥିକ ଫାଇଦା ହାସଲ ପରେ ସ୍ପାର୍ଟନ୍‌ ସ୍ପୋର୍ଟସ୍‌ ଗ୍ରୁପ୍‌ କମ୍ପାନୀ ଯେଉଁଭଳି ଆଚ୍ଚରଣ କଲା ତାହା ଅତି ଦୁର୍ଭାଗ୍ୟଜନକ ।