latest

ଅନନ୍ତନାଗରେ କାଶ୍ମୀର ପୋଲିସ ଓ ଭାରତୀୟ ସେନାର ମିଳିତ ଅପରେସନ୍‌: ଗୁଳି ବିନିମୟ ଜାରି, ଟାର୍ଗେଟ୍‌ରେ ୩ଜଣ ଆତଙ୍କବାଦୀ

Spread the News

ଜାମ୍ମୁ କାଶ୍ମୀର ରାଜ୍ୟର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ସକାଳଠାରୁ ଗୁଳି ବିନିମୟ ଜାରି ରହିଛି । ସୁରକ୍ଷାବଳ ୩ ଆତଙ୍କବାଦୀଙ୍କୁ ଘେରିବାରେ ସଫଳତା ଅର୍ଜନ କରିଛନ୍ତି । ଯଦି ସମର୍ପଣ ନକରନ୍ତି ତେବେ ଏହି ଆତଙ୍କବାଦୀମାନଙ୍କୁ ଯଥାଶୀଘ୍ର ନିପାତ କରାଯିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି । କାଶ୍ମୀର ଜୋନ୍‌ ପୋଲିସ ମଧ୍ୟ ଏନେଇ ଟ୍ୱିଟ କରିଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ସ୍ଥାନୀୟ ପୋଲିସ୍‌ ଓ ସୁରକ୍ଷାବଳଙ୍କ ମିଳିତ ଅପରେସନ କରାଯାଇ ୩ ଆତଙ୍କବାଦୀଙ୍କୁ ଘେରାଉ କରାଯାଇଛି । ଯେକୌଣସି ମୁହୂର୍ତ୍ତରେ ଏହି ମିଳିତ ଅପରେସନ୍‌ ସଫଳ ହେବାର ଖବର ଆସିପାରେ ବୋଲି ଏହି ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଛି । ସେହିପରି ଗତକାଲି କୁଲଗ୍ରାମ ଜିଲ୍ଲା ବାନପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଏହି ଆତଙ୍କବାଦୀଙ୍କ ପରିଚୟ କହିନାହିଁ । ଏହା ଜାମ୍ମୁ କାଶ୍ମୀର ପୋଲିସ-ସେନା ଓ ସିଆରପିଏଫର ମିଳିତ ଅପରେସନ ଥିଲା । ଆତଙ୍କବାଦୀଙ୍କ ଠାରୁ ସୁରକ୍ଷାକର୍ମୀମାନେ ବିପୁଳ ପରିମାଣର ଅସ୍ତ୍ର ଜବତ କରିଛନ୍ତି । ଏନକାଉଣ୍ଟର ପରେ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛି ଭାରତୀୟ ସେନା ।