ସ୍ୱାମୀ ଚିକେନ୍ ବିରିୟାନି ନ ଆଣିବାରୁ ସ୍ତ୍ରୀ କଲେ ଆତ୍ମହତ୍ୟା

Spread the News

ତାମିଲନାଡୁ: ଆତ୍ମହତ୍ୟାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ସ୍ୱାମୀ ଭେଜ ବିରିୟାନି ଆଣିବାରୁ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତାମିଲନାଡୁ ମାମଲ୍ଲପୁରମରେ ଏପରି ଘଟଣା ଘଟିଛି।   ପୋଲିସ ଅନୁଯାୟୀ, ୩୨ ବର୍ଷ ବୟସ୍କ ମନୋହରନ ଏବଂ ତାଙ୍କର ୨୮ ବର୍ଷୀୟା ସ୍ତ୍ରୀ ସୌମ୍ୟା ମୂର୍ତ୍ତି ତିଆରି କରନ୍ତି । ୧୨ ବର୍ଷ ପୂର୍ବରୁ ଉଭୟଙ୍କ ବାହାଘର ହୋଇଥିଲା । ତାଙ୍କର ୧୧ ବର୍ଷର ଗୋଟିଏ ଝିଅ ଓ ୧୦ ବର୍ଷର ଗୋଟିଏ ପୁଅ ଅଛି । ପରିବାର ସୁଖ ଶାନ୍ତିରେ ଚାଲିଥିଲା ।

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, ସୌମ୍ୟା ଓ ମନୋହରନଙ୍କ ଘର ପାଖରେ ଏକ ନୂଆ ରେସ୍ତୋରାଁ ଖୋଲିଥିଲା | ରେସ୍ତୋରାଁରେ ଗୋଟିଏ ବିରିୟାନୀରେ ଆଉ ଗୋଟିଏ ବିରିୟାନୀ ଫ୍ରି ଅଫର୍ ଚାଲିଥିଲା | ଅଫର ଦେଖି ସୌମ୍ୟା ମନୋହରନଙ୍କୁ ବିରିୟାନୀ ଆଣିବାକୁ କହିଥିଲେ | କିନ୍ତୁ ମନୋହରନ ସେଠାରେ ପହଞ୍ଚିବା ବେଳକୁ ଚିକେନ୍ ବିରିୟାନୀ ସରି ଯାଇଥିଲା | ସେ କଣ କରିବେ ଭାବି ଭେଜ୍ ବିରିୟାନୀ ନେଇ ଆସିଥିଲେ | ଭେଜ୍ ବିରିୟାନୀ ଦେଖି ସୌମ୍ୟା ରାଗି ଯାଇଥିଲେ | ସେ ଭେଜ୍ ବିରିୟାନୀ ଖାଇବାକୁ ମନା କରିଦେଲେ | ସ୍ତ୍ରୀ ଖାଇବାକୁ ମନା କରିବାରୁ ମନୋହରନ ବିରିୟାନୀ ପଡୋଶୀଙ୍କୁ ଦେଇଦେଲେ |

ପୋଲିସ ସୂଚନା ଅନୁଯାୟୀ, ପରେ ମନୋହରନ କାମ କରିବାକୁ ଚାଲିଗଲେ | ସ୍ୱାମୀ କାମ କରିବାକୁ ଯିବାପରେ ସ୍ତ୍ରୀ ଛାତ ଉପରକୁ ଚାଲିଗଲେ । ସେ ସେଠାରେ ନିଜକୁ ଏକ କୋଠରୀରେ ବନ୍ଦ କରିଦେଲେ। ଏହାପରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। କିଛି ସମୟ ପରେ ଜଣେ ପଡୋଶୀ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ସୌମ୍ୟାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଶରୀରର ଅଧକାଂଶ ଅଂଶ ପୋଡି ଯାଇଥିବାରୁ ଶୁକ୍ରବାର ଦିନ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ଏହି ଘଟଣାରେ ଏକ ମାମଲା ରୁଜ୍ଜୁ କରି ଯାଞ୍ଚ କରୁଛି। ପୋଲିସ ଟିମ ପରିବାର ସଦସ୍ୟଙ୍କୁ ପଚରାଉଚୁରା କରୁଛି। ମାମଲାରେ ପଡୋଶୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ତେବେ ସୌମ୍ୟା କେବଳ ବିରିୟାନୀ କଥାକୁ ନେଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ଆତ୍ମହତ୍ୟା ପଛରେ ଆଉ କିଛି କାରଣ ଅଛି ତାହା ସ୍ପଷ୍ଟ ହୋଇନାହିଁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଆଗରୁ ଏହିଭଳି ଝଗଡା ହେଉଥିଲା ନା ନାହିଁ ତାହା ପୋଲିସ ପତା କରୁଛି । ମାମଲାର ତଦନ୍ତ ଜାରି ରହିଛି ।

Tags: