latest

ଚାଇନା କମ୍ପାନୀ ଚାନ୍ଦା ସଂଗ୍ରହକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଟଣାଓଟରା

Spread the News

ଦେଶରେ କରୋନା ଭାଇରସ୍‌ ବ୍ୟାପିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାର୍ଚ୍ଚ ୨୮ତାରିଖରେ ଭାରତୀୟ ନାଗରିକଙ୍କ ଜରୁରୀ ପରିସ୍ଥିତିର ମୁକାବିଲା ଲାଗି ସହାୟତା ପାଣ୍ଠି (ପିଏମ୍‌-କେୟାର୍ସ) ଗଠନ କରିଥିଲେ। କରୋନା ମହାମାରୀ ଏବଂ ଭବିଷ୍ୟତରେ ଅନୁରୂପ ମହାମାରୀ ଭଳି ସ୍ଥିତିର ମୁକାବିଲା ଓ ସହାୟତାର ମହତ୍ତ୍ୱ ଉଦ୍ଦେଶ୍ୟ ରଖି ଏହି ପାଣ୍ଠି ଗଠନ କରାଯାଇଥିଲା । ଏବେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଚରମରେ ଥିବା ବେଳେ ଚାଇନା କମ୍ପାନୀ ଚାନ୍ଦା ଦେବାକୁ ନେଇ ଶାସକ ଭାଜପା ଓ ବିରୋଧୀ ଦଳ କଂଗ୍ରେସ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି । ପିଏମ୍‌-କେୟାର୍ସ ପାଣ୍ଠି ଚାଇନା କମ୍ପାନୀଗୁଡ଼ିକରୁ ଦାନ ସଂଗ୍ରହ କରିଥିବା କଂଗ୍ରେସ ଅଭିଯୋଗ କରିଛି । ଚାଇନା ସହ ଶତ୍ରୁତା ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ପିଏମ୍‌-କେୟାର୍ସ ଫଣ୍ଡ ପାଇଁ କାହିଁକି ଚାଇନା ଅର୍ଥ ଗ୍ରହଣ କଲେ ବୋଲି ବରିଷ୍ଠ କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି ପ୍ରଶ୍ନ କରିଛନ୍ତି । ଚାଇନାର ଟିକ୍‌ଟକ୍‌ କମ୍ପାନୀ ପିଏମ୍‌-କେୟାର୍ସ ଫଣ୍ଡକୁ ୩୦ କୋଟି ଟଙ୍କା ଦାନ ଦେଇଛି କି ବୋଲି ସିଙ୍ଘଭି ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ ପିଏମ୍‌-କେୟାର୍ସକୁ ପେଟିଏମ୍‌ ୧୦୦ କୋଟି ଦେଇଥିବାବେଳେ ଓପୋ ୧ କୋଟି ଏବଂ ଜିଓମି ୧୫ କୋଟି ଟଙ୍କା ଦେଇଥିବା ଏହି ବରିଷ୍ଠ କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ପେଟିଏମ୍‌ରେ ଚାଇନା କମ୍ପାନୀର ୩୮ ପ୍ରତିଶତ ମାଲିକାନା ସତ୍ତ୍ୱ ରହିଛି । ସିଂଘଭି କହିଛନ୍ତି ଯେ, ୨୦୨୦ ମେ’ ୨୦ ସୁଦ୍ଧା ଏହି ଫଣ୍ଡକୁ ୯,୬୭୮ କୋଟି ଟଙ୍କା ମିଳିଥିଲା । ଦୁଃଖର କଥା ହେଲା ଚାଇନା ସୈନ୍ୟ ଆମ ସୀମା ଭିତରେ ଅନୁପ୍ରବେଶ କରିଥିବାବେଳେ ପ୍ରଧାନମନ୍ତ୍ରୀ ସେ ଦେଶର କମ୍ପାନୀଠାରୁ କିପରି ଅର୍ଥ ଗ୍ରହଣ କରୁଛନ୍ତି ବୋଲି ଏହି କଂଗ୍ରେସ ମୁଖପାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି । ପିଏମ୍‌-କେୟାର୍ସ ପାଣ୍ଠିର ସାମ୍ବିଧାନିକ କିମ୍ବା ପରିଚାଳନା ଢାଞ୍ଚା ସମ୍ପର୍କରେ କେହି ଜାଣନ୍ତି ନାହିଁ । ଏହି ପାଣ୍ଠି କିପରି ନିୟନ୍ତ୍ରଣ ହେଉଛି ଓ ଅର୍ଥ କିପରି ବିନିଯୋଗ ହେଉଛି, ତାହା ମଧ୍ୟ କାହାକୁ ଜଣାଯାଉ ନାହିଁ । ସିଏଜି ସମେତ କୌଣସି ସରକାରୀ କର୍ତ୍ତୃପକ୍ଷ ଉକ୍ତ ପାଣ୍ଠିର ଅଡିଟ୍‌ କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ଏହି ପାଣ୍ଠିରେ ଆଦୌ ସ୍ୱଚ୍ଛତା ନାହିଁ ସିଂଘଭି ଅଭିଯୋଗ କରିଛନ୍ତି ।

Tags: