ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

Spread the News

ପେଟ୍ରୋଲ ଓ ଡିଜେଲ ଦରରେ ଲଗାତାର ବୃଦ୍ଧି ହୋଇଚାଲିଛି । ଏହାର ପ୍ରତିବାଦରେ ନିଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶକ୍ରମେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ନୀରବ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ ଭୁବନେଶ୍ୱର କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି ୨୦୧୧ ମସିହା ୟୁପିଏ-୨ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୭ ଡଲାର ଥିଲାବେଳେ ପେଟ୍ରୋଲ ଲିଟର ପିଛା ଦର ୭୮ ଟଙ୍କା ଓ ଡିଜେଲ ୭୩ ଟଙ୍କା ଥିଲା । କିନ୍ତୁ ବର୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୪୨ ଡଲାର ଥିଲାବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଭାଟ୍ ଓ ଏକ୍ସାଇଜ୍ ଡ୍ୟୁଟି ଅହେତୁକ ବୃଦ୍ଧି କରିବା ଯୋଗୁଁ ଆଜି ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୦ ଟଙ୍କାରେ ପହଞ୍ଚିସାରିଲାଣି । ସମ୍ପ୍ରତି ଦେଶବାସୀଙ୍କ ଆର୍ଥିକ ସ୍ଥିତି କରୋନା ମହାମାରୀ ପାଇଁ ଶୋଚନୀୟ ହୋଇପଡ଼ିଛି । ଠିକ୍‌ ଏତିକିବେଳେ ସରକାରଙ୍କ ତୈଳ ଦର ବୃଦ୍ଧି ଜନସାଧାରଣଙ୍କ ଉପରେ କଟା ଘା’ରେ ଚୂନ ସଦୃଶ ହୋଇଛି । ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାଜରାସ୍ତାକୁ ଯାଇ ଯାତାୟତ କରୁଥିବା ଅଟୋଚାଳକ, ବାଇକ୍ ଚାଳକ, ଗୃହିଣୀ ଓ କର୍ମଜୀବୀ ମହିଳାମାନଙ୍କୁ ତୈଳ ଦର ବୃଦ୍ଧି ସଂପର୍କରେ ସେମାନଙ୍କର ମତାମତ ଲୋଡିଥିଲେ । ଶ୍ରୀ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ସୂଚନା ଅନୁସାରେ, ସମସ୍ତେ ଏକସ୍ୱରରେ ତୈଳ ଦର ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ବୋଲି ତାଙ୍କୁ ଦୁଃଖର ସହିତ ଜଣାଇଥିଲେ ।

Tags: