ଧୋନିଙ୍କ ନେତୃତ୍ବ ଶୈଳୀ ଚମତ୍କାର: ଡୁ’ପ୍ଲେସିସ୍‌

Spread the News

ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଫାଫ୍‌ ଡୁ’ପ୍ଲେସିସ୍ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବ ଶୈଳୀକୁ ନେଇ ବଖାଣିଛନ୍ତି। ଧୋନି ଅତ୍ୟନ୍ତ ଶାନ୍ତ। ମୁଁ ଏମିତି ବ୍ୟକ୍ତି ସହିତ ଖେଳିନି, ଯିଏ ଧୋନିଙ୍କଠୁ ଶ୍ରେଷ୍ଠ ଫିନିସର୍‌ ହୋଇଥିବ। ତାଙ୍କୁ ପଡ଼ିଆରୁ ଦେଖିବା ଅତି ଚମତ୍କାର ବୋଲି ବାଂଲାଦେଶର ତମିମ ଇକବାଲଙ୍କ ସହ ଫେସବୁକ୍ ଚାଟ୍‌ରେ ଡୁ’ପ୍ଲେସିସ୍‌ କହିଛନ୍ତି। ଯଦି ତାଙ୍କ ପରି ଅନ୍ୟ କେହି ଏହା କରିବାକୁ ଚେଷ୍ଟା କରନ୍ତି ତେବେ ସକ୍ଷମ ହେବେ ନାହିଁ। ଚାପରେ କେମିତି ଖେଳାଯ‌ାଏ ତାଙ୍କୁ ଜଣା। ସେ ବଲ୍‌କୁ କିଛି ସମୟ ପାଖରେ ରଖି ବୋଲର୍‌କୁ ବାଛି ବୋଲିଂ କରିବାକୁ ଡାକିଥାନ୍ତି। ଯାହା ତାଙ୍କୁ ଅବିଶ୍ବାସନୀୟ ଶାନ୍ତି ଦେଇଥାଏ। ଏହା ହିଁ ତାଙ୍କ ନେତୃତ୍ବ ଶୈଳୀର ଭିନ୍ନତା ବୋଲି ୨୦୧୧ରୁ ୨୦୧୫ ଏବଂ ପରେ ୨୦୧୮ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସ ‘ସିଏସ୍‌କେ’ ପାଇଁ ଖେଳିଥିବା ଡୁ’ପ୍ଲେସିସ୍‌ ପ୍ରକାଶ କରିଛନ୍ତି। ସେ ଅନ୍ୟ ଖେଳାଳିଙ୍କୁ ଭଲ ଭାବରେ ବୁଝନ୍ତି ଏବଂ ପଡ଼ିଆରେ ପ୍ରବୃତ୍ତିମୂଳକ ନିଷ୍ପତ୍ତି ନେବା ପାଇଁ ଏହାକୁ ବ୍ୟବହାର କରନ୍ତି। ଖେଳ ଉପରେ ତାଙ୍କର ଏକ ଅବିଶ୍ୱସନୀୟ ଅନ୍ତର ରହିଛି ଏବଂ ମୁଁ ଭାବୁଛି ଏହା ହେଉଛି ତାଙ୍କର ସବୁଠାରୁ ବଡ଼ ଶକ୍ତି ବୋଲି ଦକ୍ଷିଣ ଆଫ୍ରିକା ଟେଷ୍ଟ୍‌ ଅଧିନାୟକ କହିଛନ୍ତି। ଜଣେ ଅଧିନାୟକ ଭାବରେ ଧୋନି କେତେ ଭିନ୍ନ ତାହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ମୋ ମନରେ ଥିଲା ଜଣେ ଅଧିନାୟକ ଦଳର ଖେଳାଳିଙ୍କୁ ନେଇ ସବୁ ବେଳେ ବୈଠକ କରି ଆଲୋଚନା କରିବା ଆବଶ୍ୟକ। ହେଲେ ଧୋନି ସମ୍ପୂର୍ଣ୍ଣ ଭିନ୍ନ ଥିଲେ। ଦଳୀୟ ବୈଠକକୁ ‌ସେ ବିଶ୍ୱାସ କରନ୍ତି ନାହିଁ। ସେ ଜଣେ ଅତି ପ୍ରବୃତ୍ତ ଅଧିନାୟକ, ତାଙ୍କୁ ଏତେ ଭଲ କ୍ରିକେଟ୍ ମସ୍ତିଷ୍କ ମିଳିଛି ଯେ ପଡ଼ିଆରେ ସଠିକ୍ ନିଷ୍ପତ୍ତି ନେବାକୁ ସେ ଏହା ଉପରେ ହିଁ ନିର୍ଭର କରନ୍ତି ବୋଲି ୩୬ ଟେଷ୍ଟ୍‌, ୩୯ ଦିନିକିଆ ଓ ୪୦ ଟ୍ବେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକାର ନେତୃତ୍ବ ନେଇଥିବା ଡୁ’ପ୍ଲେସିସ୍‌ କହିଛନ୍ତି। ମୁଁ ‘ସିଏସ୍‌କେ’ରେ ରହି ବହୁତ କିଛି ଶିଖିପାରିଛି। ଧୋନି ଏବଂ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କଠାରୁ ଯଥାସମ୍ଭବ ଶିଖିବାକୁ ଚେଷ୍ଟା କରିଥିଲି, କାରଣ ଉଭୟ ଜଣେ ଜଣେ ମହାନ ଅଧିନାୟକ ବୋଲି ଡୁ’ପ୍ଲେସିସ୍‌ କହିଛନ୍ତି।

Tags: