କରୋନା କଟକଣା ଭିତରେ ଚଳଚ୍ଚିତ୍ରପ୍ରେମୀଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇବ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ: ରିଲିଜ୍‌ ହେବ ବଲିଉଡ୍‌ର ୭ଟି ଫିଲ୍ମ, ମୁଖ୍ୟ ଆକର୍ଷଣ ସୁଶାନ୍ତ ସିଂହଙ୍କ ଅଭିନୀତ ‘ଦିଲ୍‌ ବେଚାରା’

Spread the News

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ଭୟଙ୍କର ଭାଇରସ୍‌ର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ଅନେକ କଟକଣା ଲଗାଇଛନ୍ତି । ଫଳରେ ସମସ୍ତ କାମକାର୍ଯ୍ୟ ଦେଶରେ ଠପ୍‌ ହୋଇଯାଇଛି । ଏହି କଟକଣାର ନକରାତ୍ମକ ପ୍ରଭାବ ସବୁଠାରୁ ବେଶୀ ପଡ଼ିଛି ମନୋରଞ୍ଜନ ଶିଳ୍ପରେ । ଆବଶ୍ୟକତା ଦୃଷ୍ଟିରେ ଦେଶରେ ଅନ୍‍ଲକ୍‍ ପ୍ରକ୍ରିୟା ଆରମ୍ଭ ହେବା ସତ୍ତ୍ୱେ ମଲ୍‍ ଓ ସିନେମା ହଲ୍‍ଗୁଡ଼ିକୁ ପୂର୍ବବତ୍‌ ବନ୍ଦ ରହିଛି । ଯାହାଫଳରେ ବଲିଉଡ୍‌ର ଅନେକ ଚଳଚ୍ଚିତ୍ର ନିର୍ମାଣ ସରିଥିଲେ ମଧ୍ୟ ରିଲିଜ୍‍ ଅପେକ୍ଷାରେ ରହିଛି । ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ରପ୍ରେମୀମାନଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇବା ପାଇଁ ଡିଜିଟାଲ୍‌ ପ୍ଲାଟଫର୍ମର ସହାୟତା ନିଆଯାଇଛି । ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ଏହା କୌଣସି ବଡ଼ ଖୁସି ଖବରରୁ କମ୍‍ ନୁହେଁ । ରିପୋର୍ଟ ଅନୁସାରେ, ଅନେକ ବଡ଼ ବଡ଼ ଷ୍ଟାରଙ୍କ ଅଭିନୀତ ଚଳଚ୍ଚିତ୍ରକୁ ଡିଜ୍ନୀ ପ୍ଲସ୍‍ ହଟ୍‍ଷ୍ଟାର ଭଳି ଡିଜିଟାଲ୍‌ ପ୍ଲାଟଫର୍ମରେ ରିଲିଜ୍‍ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ଏନେଇ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ କହିବାନୁସାରେ, ‘ଲକ୍ଷ୍ମୀ ବମ୍‍’, ‘ଭୁଜ୍‍’, ‘ସଡ଼କ-୨’, ‘ଦିଲ୍‍ ବେଚାରା’, ‘ଦି ବିଗ୍‍ ବୁଲ୍‍’, ‘ଖୁଦା ହାଫିଜ୍‍’ ଓ ‘ଲୁଟ୍‍ କେସ୍‍’ ଆଦି ଚଳଚ୍ଚିତ୍ରକୁ ଡିଜ୍ନୀ ପ୍ଲସ୍‍ ହଟ୍‍ଷ୍ଟାରରେ ରିଲିଜ୍‍ କରାଯିବ । ଏସବୁ ମଧ୍ୟରୁ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ‘ଦିଲ୍‍ ବେଚାରା’ ଚଳଚ୍ଚିତ୍ର ହେବ ମୁଖ୍ୟ ଆକର୍ଷଣ । ଦର୍ଶକେ ପ୍ରଥମେ ଏହି ଚଳଚ୍ଚିତ୍ରକୁ ଦେଖିବାକୁ ପାଇବେ । ଏ ସମସ୍ତ ଫିଲ୍ମକୁ ଚଳିତ ବର୍ଷ ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ରିଲିଜ୍‍ କରାଯିବ ବୋଲି ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ସୂଚନା ଦେଇଛନ୍ତି ।