୫୯ ଚାଇନିଜ୍ ଆପ୍ସ ବ୍ୟାନ୍ ପରେ ଏବେ ଚାଇନିଜ୍ କମ୍ପାନୀ Huaweiକୁ ନେଇ ଚର୍ଚ୍ଚା, 5G ରେସ୍‌ରୁ ବାହାରିପାରେ

Spread the News

ଗତକାଲି ଭାରତ ସରକାର ୫୯ ଚାଇନିଜ୍ ଆପ୍ସ ବ୍ୟାନ୍ କରି ଦେଶରେ ଚହଳ ସୃଷ୍ଟି କରିଥିଲେ । ତେବେ ଏଥିରେ ଆଉ ଏକ ଚାଇନିଜ୍ କମ୍ପାନୀ ହୁୱୈ ମଧ୍ୟ ସାମିଲ୍‌ ହୋଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହୁୱୈ ଭାରତରେ ୫ଜି ସେବାର ଏକ ପ୍ରମୁଖ ଉତ୍ତରାଧିକାରୀ । ଭାରତରେ ୫ଜିର ନିଲାମିକୁ ବର୍ଷକ ପୂର୍ବରୁ ଟାଳିଦିଆଯାଇଥିଲା, କିନ୍ତୁ ଗତ ବର୍ଷ ହୁୱୈକୁ ୫ଜି ଟ୍ରାଏଲରେ ଭାଗ ନେବା ପାଇଁ ଅନୁମତି ଦିଆଯାଇଥିଲା । ଆମେରିକା ସବୁ ଦେଶ ଉପରେ ହୁୱୈକୁ ବାହାର କରିବା ପାଇଁ ଚାପ ପକାଉଛି । ଆମେରିକାରେ ହୁୱୈ ପ୍ରଡକ୍ଟ ଉପରେ ମେ’ ୨୦୨୧ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଅନୁସାରେ ଗତକାଲି ମୋଦି ସରକାର ବରିଷ୍ଠ ମନ୍ତ୍ରୀଙ୍କ ସହିତ ବୈଠକରେ ୫ଜି ଉପରେ ଚର୍ଚ୍ଚା କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ, ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଓ ବାଣିଜ୍ୟମନ୍ତ୍ରୀ ପୀୟୁଷ ଗୋୟଲ ବୈଠକରେ ସାମିଲ ଥିଲେ । ବୈଠକର ଫଳାଫଳ ଜଣାପଡିନାହିଁ । ସୀମା ବିବାଦ ପରେ ଦେଶରେ ପରିବର୍ତ୍ତିତ ପରିସ୍ଥିତିରେ ହୁୱୈ ପାଇଁ ରାସ୍ତା କଠିନ ରହିବ । ସିଙ୍ଗାପୁରରେ ୫ଜି ଦୌଡରେ ହୁୱୈ ବାହାର ହୋଇସାରିଛି । ସେଠାରେ ନୋକିଆ ଓ ଏରିକ୍ସନକୁ ସୁଯୋଗ ମିଳିଛି । ନିର୍ଭରଯୋଗ୍ୟ ସୂତ୍ର ମାଧ୍ୟମରେ ମିଳିଥିବା ଖବର ମୁତାବକ, ଭାରତ ସରକାର ମଧ୍ୟ ହୁୱୈ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

Tags: