ମହଙ୍ଗା ପଡ଼ିଲା ଡ୍ରାଗନ୍‌ ପ୍ରେମ, ଓଲିଙ୍କ ଗାଦି ଟଳମଳ

Spread the News

ସଙ୍କଟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଗାଦି । ନେପାଳ କମ୍ୟୁନିଷ୍ଟ ପାର୍ଟିର ମଙ୍ଗଳବାର ଅନୁଷ୍ଠିତ ବୈଠକରେ ପୁଣି ଥରେ ବରିଷ୍ଠ ନେତାମାନେ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି । ଏହିସବୁ ନେତାଙ୍କ କହିବା କଥା ହେଲା ଓଲି ସରକାର ନିଜ କାମରେ ବିଫଳ ହୋଇଥିବାରୁ ଇସ୍ତଫା ମଗାଯାଉଛି । ଓଲିଙ୍କ ଆରୋପକୁ ମଧ୍ୟ ବୈଠକରେ ଖଣ୍ଡନ କରାଯାଇଛି । ଓଲି କହିଥିଲେ ଯେ, ତାଙ୍କୁ ପଦରୁ ହଟାଇବା ପାଇଁ ଭାରତ ଷଡଯନ୍ତ୍ର ରଚୁଛି । କମ୍ୟୁନିଷ୍ଟ ପାର୍ଟିର ଏହି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ପାର୍ଟିର ସହ ସଭାପତି ପୁଷ୍ପ କମଲ ଦହଲ ଓ ବରିଷ୍ଠ ନେତା ମାଧବ ନେପାଲ, ଝଲା ନାଥ ଓ ବାମଦେବ ଗୌତମ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକ କାଳରେ ସହ ନେପାଳ କମ୍ୟୁନିଷ୍ଟ ପାର୍ଟିର ସହ ସଭାପତି ଦହଲ ଓଲିଙ୍କ ବୟାନ ଉପରେ କଡା ଆପତ୍ତି ପ୍ରକାଶ କରି କହିଛନ୍ତି ଯେ, ଆମେ ଓଲିଙ୍କ ଠାରୁ ଇସ୍ତଫା ଦାବି କରୁଛୁ, ଭାରତ ନୁହେଁ । ଯଦି ଓଲି ଇସ୍ତଫା ଦେବାରେ ଟାଳଟୁଳ ନୀତି ଅବଲମ୍ୱନ କରନ୍ତି ତାହାଲେ ବିକଳ୍ପ ଚିନ୍ତା କରାଯିବ ବୋଲି କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତାମାନେ ଏହି ବୈଠକରେ ପ୍ରକାଶ କରିଥିଲେ ।