ଦିଦିଙ୍କ କରୋନା ଚିନ୍ତା: ଦେଶର ୮ ସହରରୁ ପଶ୍ଚିମବଙ୍ଗକୁ ବିମାନ ଉଡ଼ାଣରେ ସାମୟିକ କଟକଣା ଲଗାଇବାକୁ କେନ୍ଦ୍ରକୁ ଲେଖିଲେ ଚିଠି

Spread the News

ରାଜ୍ୟରେ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ବର୍ତ୍ତମାନ ପାଇଁ ଦେଶର ବିଭିନ୍ନ ସହରରୁ ପଶ୍ଚିମବଙ୍ଗକୁ ବିମାନ ଉଡ଼ାଣକୁ କିଛି ଦିନ ପାଇଁ ବନ୍ଦ ରଖିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଏକ ଚିଠି ଲେଖିଥିବା ଜାଣିବାକୁ ମିଳିଛି । ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏହି ଚିଠିରେ ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ, ଇନ୍ଦୋର, ଅହମ୍ମଦାବାଦ ଓ ସୁରଟ ପ୍ରଭୃତି ୮ଟି ସହରରୁ ପଶ୍ଚିମବଙ୍ଗ ଅଭିମୁଖେ ଉଡ଼ାଣ ଭରୁଥିବା ସମସ୍ତ ବିମାନଗୁଡ଼ିକର ଉଡ଼ାଣରେ ସାମୟିକ କଟକଣା ଲଗାଇବା ପାଇଁ ନିବେଦନ କରିଛନ୍ତି । ଏଥିସହ ଆସନ୍ତା ଜୁଲାଇ ୬ ତାରିଖ ଠାରୁ ଏହି ଉଡ଼ାଣ କଟକଣାକୁ କାର୍ଯ୍ୟକାରୀ କରିବାକୁ ତାଙ୍କ ଚିଠିରେ ଲେଖିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ମମତା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଲେଖିଥିବା ଏହି ଚିଠିରେ ଦର୍ଶାଇଛନ୍ତି ଯେ ଏହି ଆଠଟି ମାତ୍ରାଧିକ କରୋନା ପ୍ରାଦୁର୍ଭାବ ସହରରୁ ପଶ୍ଚିମବଙ୍ଗକୁ ସମସ୍ତ ବିମାନର ଉଡ଼ାଣକୁ ବନ୍ଦ ରଖାଯିବା ଉଚିତ । ଏଥିସହ ବର୍ତ୍ତମାନ ପାଇଁ ପଶ୍ଚିମବଙ୍ଗକୁ ଆସୁଥିବା ବିମାନଗୁଡ଼ିକର ଉଡ଼ାଣକୁ ରାଜ୍ୟର ମାତ୍ର ତିନିଟି ବିମାନ ବନ୍ଦରରେ ସୀମିତ ରଖାଯିବା ଉଚିତ । ଆଉ ସେଗୁଡ଼ିକ ହେଉଛି; କୋଲକାତା, ଅନ୍ଦାଲ ଏବଂ ବାଗଡୋଗ୍ରା ।

Tags: