ଚୀନ୍‌ ସହିତ ସୀମା ଉତ୍ତେଜନା ପରିପ୍ରେକ୍ଷୀରେ ସଂଯୁକ୍ତ ରାଷ୍ଟ୍ରର ଅଧିକାଂଶ ଦେଶ ଜାହିର୍‌ କଲେ ଭାରତକୁ ଖୋଲା ସମର୍ଥନ

Spread the News

ଭାରତ ସହିତ ଚୀନ୍‌ର ସୀମା ଉତ୍ତେଜନା ଚରମ ସୀମାରେ ଥିବା ବେଳେ ସଂଯୁକ୍ତରାଷ୍ଟ୍ର ପରିଷଦରେ ଚୀନ୍‌ ଏକପ୍ରକାର ହୋଇଯିବାର ରୋଚକ ସ୍ଥିତି ସୃଷ୍ଟି ହୋଇଛି । ସଂଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦ ଯେଉଁଠି ଚୀନ୍‌ ସ୍ଥାୟୀ ସଦସ୍ୟ ଭାବରେ ଭିଟୋ ପାୱାର ପାଖରେ ରଖିଛି, ସେଠାରେ ମଧ୍ୟ ଭାରତକୁ ଅଧିକ ଦୃଢ ସମର୍ଥନ ମିଳୁଥିବାରୁ ଏହା ଭାରତର ସଫଳ ବୈଦେଶିକ ନୀତିର ପରିଣାମ ବୋଲି ସବୁଆଡ଼େ ଆଲୋଚନା ହେଉଛି l ଆମେରିକା, ରୁଷିଆ, ଫ୍ରାନ୍ସ ଓ ବ୍ରିଟେନ ସୀମା ବିବାଦରେ ଭାରତ ସହିତ ପୂର୍ଣ୍ଣ ସମର୍ଥନ ଜାହିର୍‌ କରିଛନ୍ତି । ଫ୍ରାନ୍ସର ସମର୍ଥନ ଭାରତ ସହିତ ଏମିତି ରହିଛି ଯେପରି ରୁଷିଆର ସମର୍ଥନ ରହିଛି l ରୁଷିଆର ମିତ୍ରତା ଚୀନ୍‌ ସହିତ ରହିଥିଲେ ମଧ୍ୟ ଉପଯୁକ୍ତ ସମୟରେ ଭାରତକୁ ଏହି ଦେଶ ଖୋଲା ସମର୍ଥନ କରିଥାଏ । ରୁଷିଆ ଓ ଭାରତର ଏହି ସୁ-ସମ୍ପର୍କକୁ ପରମ୍ପରାଗତ କହିଲେ ଅତ୍ୟୁକ୍ତି ହେବ ନାହିଁ । ରୁଷିଆ ବର୍ତ୍ତମାନର ବିବାଦୀୟ ପରିସ୍ଥିତିକୁ ନେଇ ଭାରତ ସହିତ ଠିଆ ହୋଇଛି l ଆମେରିକା ମଧ୍ୟ ବଡ ସାମରିକ ସହଯୋଗୀ ଭାବରେ ଭାରତ ସହିତ ଅଛି । ଏକ ସୂତ୍ରରୁ ଜଣାପଡିଛି ଯେ ସମସ୍ତ ଦେଶ ଚୀନ୍‌ର ଭାରତ ବିରୋଧୀ ଏଜେଣ୍ଡାକୁ ଦୃଢ ନିନ୍ଦା କରିଛନ୍ତି l ସଂଯୁକ୍ତ ରାଷ୍ଟ୍ରରେ ଭାରତ ଅସ୍ଥାୟୀ ସଦସ୍ୟତା ପଦ ହାସଲ କରିବା ପରେ, ସ୍ଥାଇ ଓ ଅସ୍ଥାୟୀ ସମସ୍ତ ସଦସ୍ୟଙ୍କ ସହିତ ମଧୁର ସମ୍ପର୍କ ପ୍ରତିଷ୍ଠା କରିବାରେ ଭାରତ ସଫଳତା ହାସଲ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ସୋମବାର ଦିନ ଫ୍ରାନ୍ସ ଓ ଭାରତର ବିଦେଶ ବିଭାଗ ମଧ୍ୟରେ ସଚିବ ସ୍ତରୀୟ ଆଲୋଚନା ହୋଇଥିଲା l ଏହି ଆଲୋଚନାରେ ବର୍ତ୍ତମାନର ଲଦ୍ଦାଖ୍‌ ସୀମା ବିବାଦର ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଇଥିଲା । ଫ୍ରାନ୍ସ ଚୀନ୍‌ର ବିସ୍ତାରବାଦୀ ନୀତିକୁ ଏହି ଆଲୋଚନା କାଳରେ ଦୃଢ ବିରୋଧ କରି ଭାରତକୁ ସମର୍ଥନ ଜଣାଇଥିଲା । ଅନ୍ୟପଟରେ ଆଉ ଏକ ଭିନ୍ନ ସୂତ୍ରରୁ ଜଣାପଡିଛି ଯେ ଭାରତ ଅନ୍ୟ ଅସ୍ଥାୟୀ ସଦସ୍ୟମାନଙ୍କର ସହଯୋଗ ହାସଲ କରି ବିଶ୍ୱ ମଞ୍ଚରେ ନିଜର ମହତ୍ତ୍ୱ ରଖିବ । କରୋନା ସଙ୍କଟ କାଳରେ ପୂରା ବିଶ୍ୱରେ ଏକଘରିକିଆ ହୋଇଯାଇଥିବା ଚୀନ୍‌ର ବିସ୍ତାରବାଦୀ ନୀତିକୁ ବିଶ୍ୱର ଅଧିକାଂଶ ଦେଶ ନାପସନ୍ଦ କରିଛନ୍ତି । ଏପରି ସ୍ଥଳେ ବିଶ୍ୱର ଅନେକ ଦେଶ ଲଦ୍ଦାଖ୍‌ ସୀମାରେ ଦେଖାଦେଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଭାରତ ପ୍ରତି ଥିବା ସେମାନଙ୍କର ଗଭୀର ଅନୁରାଗକୁ ସମର୍ଥନ ଆକାରରେ ଜାହିର୍‌ କରିଛନ୍ତି ।