ଯୁଦ୍ଧ ହେଲେ ଚୀନ୍‌ର କୋଟି କୋଟି ମୂଲ୍ୟର ସମ୍ପତ୍ତିକୁ ଜବତ କରିବ ଭାରତ !

Spread the News

ଗଲଓ୍ୱାନ ଘାଟିର ସଂଘର୍ଷ ପରେ ଭାରତୀୟ ଓ ଚୀନ୍‌ ସୀମାରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଚୀନ୍‌ର ପ୍ରତ୍ୟେକଟି ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖୁଛି ବାୟୁସେନା । ଏଥିପାଇଁ ଭାରତର ଯୁଦ୍ଧବିମାନଗୁଡ଼ିକ ସୀମାରେ ପଇଁତରା ମାରୁଛି । ତେବେ ଏଭଳି ସ୍ଥିତିରେ ରୋଚକପୂର୍ଣ୍ଣ କଥା ହେଲା ଭାରତ ସହ ଯଦି ପୂର୍ଣ୍ଣକାଳୀନ ଯୁଦ୍ଧ ପାଇଁ ଚୀନ୍ ଆଗଭର ହୁଏ ତେବେ ଏଥିପାଇଁ ତାକୁ ଅନେକ କିଛି ହରାଇବାକୁ ପଡ଼ିବ । ଏପରି ହେବାର ଦୁଇଟି କାରଣ ରହିଛି ଗୋଟିଏ ହେଲା ସାମରିକ କାରଣ, ଓ ଅନ୍ୟଟି ହେଉଛି ଅର୍ଥନୈତିକ କାରଣ । ସାମରିକ ଦୃଷ୍ଟିରୁ ଚୀନ୍‌ ବ୍ୟାକ୍‌ଫୁଟ୍‌ରେ ଥିବା ଅନେକ ସାମରିକ ବିଶେଷଜ୍ଞମାନେ ପୂର୍ବରୁ ଜଣାଇସାରିଛନ୍ତି । ଏନେଇ ମୋ ଓଡ଼ିଶାର ଅନେକ ପୂର୍ବ ଉପସ୍ଥାପନାଗୁଡ଼ିକରେ ବର୍ଣ୍ଣନା ମଧ୍ୟ କରାଯାଇସାରିଛି, ମାତ୍ର ଏଠାରେ ଆସନ୍ତୁ ଆଲୋଚନା କରିବା ଅର୍ଥନୈତିକ କାରଣ ସମ୍ପର୍କରେ । ପାଠକବନ୍ଧୁ ! ୫୯ଟି ଚୀନ୍‌ ଆପ୍ ଉପରେ ନିଷେଧାଦେଶ ଦେଇ ଭାରତ ପୂର୍ବରୁ ଯେଉଁ ଶକ୍ତ ବାର୍ତ୍ତା ଦେଇଛି, ସେଥିରେ ଚୀନ୍‌ର ଏକ ପ୍ରକାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । କାରଣ ଏଥିପାଇଁ ଚୀନ୍‌ର ପ୍ରାୟ ୪୫ହଜାର କୋଟି ଟଙ୍କାର କ୍ଷତି ଘଟିଥିବା ସେ ନିଜେ ସ୍ୱୀକାର କରିସାରିଛି । ତେବେ ଆସନ୍ତୁ ଆଉ ଗୋଟିଏ ପାଦ ଆଗକୁ ଯାଇ ଚିନ୍ତା କରିବା, ଅନୁମାନ କରନ୍ତୁ ଭାରତ ଓ ଚୀନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଗଲା । ଏ ପରିସ୍ଥିତିରେ ଭାରତ ରଣକ୍ଷେତ୍ରରେ ଶତ୍ରୁକୁ ମୁକାବିଲା କରିବା ସହିତ ଯେସାକୁ ତେସା ନ୍ୟାୟରେ ଚୀନ୍‌ର ୧୦୦% ବିନିଯୋଗକୁ ନିଜ କବ୍‌ଜାକୁ ନେଇପାରେ । ଫଳରେ ଚୀନ୍ କେଇଟା ଦିନ ମଧ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ହରାଇବ । ଏଥିରୁ ମୁକୁଳିବାକୁ ଚୀନ୍‌କୁ ଦଶନ୍ଧି ଦଶନ୍ଧି ଲାଗିଯାଇପାରେ ଦେଶର ଆର୍ଥିକ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । କାରଣ ଭାରତ ହେଉଛି ଏମିତି ଏକ ଦେଶ ଯେଉଁଠାରେ ବିଶ୍ୱର ଅନ୍ୟତମ ବୃହତ ବଜାର ରହିଛି । ସେହି ହିସାବରେ ଚୀନ୍‌ ମଧ୍ୟ ପୂର୍ବରୁ ଭାରତର ବିଭିନ୍ନ କ୍ଷେତ୍ରରେ ଆର୍ଥିକ ବିନିଯୋଗ କରି ତାର ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବାରେ ଲାଗିଛି । ତେବେ ଯୁଦ୍ଧ ଆରମ୍ଭ ହେଲେ ଚୀନ୍‌ର ଥିବା ସମସ୍ତ ଆର୍ଥିକ ସଂସାଧନକୁ ଭାରତ ଅନାୟାସରେ କବ୍‌ଜା କରିନେବ ଏଥିରେ ସନ୍ଦେହ ନାହିଁ । ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଭାରତର ଶତ୍ରୁ ସମ୍ପତ୍ତି ଆଇନ ୧୯୬୮ । ଏହି ନିୟମ ଭାରତ ସରକାରଙ୍କୁ କୌଣସି ଶତ୍ରୁ ଦେଶର ସମ୍ପତ୍ତି ଜବତ କରିବା ଏବଂ ଏହାକୁ ଜବରଦଖଲ କରିବାକୁ କ୍ଷମତା ପ୍ରଦାନ କରିଥାଏ । ଯଦି କୌଣସି ଦେଶ ଏହି ନିୟମ ସହିତ ସବୁଠାରୁ ବିପଦ ଅନୁଭବ କରେ, ତେବେ ଏହା ଚୀନ୍ ! ଚୀନ୍ ଭୟ କରୁଛି ଯେ ଯଦି ଭାରତ ଏବଂ ଚୀନ୍ ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧ ଆରମ୍ଭ ହୁଏ, ତେବେ ଭାରତ ସରକାର ଚୀନ୍ କମ୍ପାନୀଗୁଡ଼ିକର ସମ୍ପତ୍ତି ଜବତ କରିବେ । ଭାରତ ସରକାର ଶେଷ ଥର ପାଇଁ ୨୦୧୮ରେ ଏହି ଆଇନରେ ପରିବର୍ତ୍ତନ ଆଣିଥିଲେ ଏବଂ ଏହାର ଉଦ୍ଦେଶ୍ୟ ଥିଲା ଭାରତ ଛାଡ଼ି ପାକିସ୍ଥାନ ଯାଇଥିବା ୯୪୦୦ ଶତ୍ରୁ ସମ୍ପତ୍ତିକୁ ଧରିବା । ଏହାପରେ ଭାରତ ସରକାର ଏହି ସମ୍ପତ୍ତିଗୁଡ଼ିକୁ ଅଧିକାର କରି ବିକ୍ରୟ ପ୍ରକ୍ରିୟା ଆରମ୍ଭ କଲେ । ୧୯୬୮ ମସିହାରେ ଏହି ଅଧିନିୟମ ପାସ୍‌ ହେବା ପରେ ଭାରତ ସରକାର ଶତ୍ରୁ ସମ୍ପତ୍ତି ଧରିବା ପାଇଁ ଏହି ନିୟମକୁ ଅନେକ ଥର ବ୍ୟବହାର କରିଛନ୍ତି । ଉଦାହରଣସ୍ୱରୂପ, ୧୯୬୨, ୧୯୬୫ ଏବଂ ୧୯୭୧ ମସିହାରେ ହୋଇଥିବା ଭାରତ-ଚୀନ୍ ଯୁଦ୍ଧ ସମୟରେ ତତ୍କାଳୀନ କେନ୍ଦ୍ର ସରକାର ଏହି ଆଇନ ଅନୁଯାୟୀ ଏହି ଦେଶର ନାଗରିକଙ୍କ ସମ୍ପତ୍ତି ଜବତ କରିଥିଲେ । ତେବେ ମୋଦୀ ସରକାର ଦେଶରେ କ୍ଷମତାକୁ ଆସିବା ପରେ ଭାରତରେ ଚୀନ୍‌ର ପୁଞ୍ଜି ବିନିଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହାପରେ ଯୁଦ୍ଧ ହେଲେ ଚୀନ୍ ଭାରତରେ ସମ୍ପତ୍ତି ହରାଇବାକୁ ଭୟ କରିବା ଆରମ୍ଭ କରିଛି । ଆପଣ ଏହା ଅନୁମାନ କରିପାରିବେ ଯେ ୨୦୧୮ ମସିହାରେ ଯେତେବେଳେ ଭାରତ ସରକାର ଏହି ନିୟମକୁ ପରିବର୍ତ୍ତନ କରିଥିଲେ, ସେତେବେଳେ ଚୀନ୍ ଗଣମାଧ୍ୟମରେ ଏକ ଚିନ୍ତା ଥିଲା । ଗ୍ଲୋବାଲ ଟାଇମ୍ସ ୨୦୧୮ରେ ଏକ ଆର୍ଟିକିଲ ଲେଖିଥିଲା ​​ଯେ ବର୍ତ୍ତମାନ ଯଦି ଭାରତ ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଭାରତ ସରକାର ଚୀନ୍ କମ୍ପାନୀଗୁଡ଼ିକର ସମ୍ପତ୍ତିକୁ ଅତି ସହଜରେ ଜବତ କରିପାରିବେ । ଶତ୍ରୁ ସମ୍ପତ୍ତି ଅଧିନିୟମ ୧୯୬୮ର ସବୁଠାରୁ କୌତୁହଳପୂର୍ଣ୍ଣ ବିଷୟ ହେଉଛି ଯଦି ସରକାର ଶତ୍ରୁର ସମ୍ପତ୍ତି ଜବତ କରନ୍ତି, ତେବେ ତାଙ୍କର କୌଣସି କୋର୍ଟକୁ ଯିବାର ବିକଳ୍ପ ନାହିଁ । ୨୦୧୪ ପରଠାରୁ, ସାଆଓମି, ଭିଭୋ, ଲେନୋଭୋ ଭଳି ଚୀନ୍‌ର କମ୍ପାନୀଗୁଡ଼ିକର ପୁଞ୍ଜି ବିନିଯୋଗ ଦେଶରେ ବହୁଗୁଣିତ ହୋଇଛି ଏବଂ ଏହି କମ୍ପାନୀଗୁଡ଼ିକର ଦେଶରେ ବୃହତ ଉତ୍ପାଦନ ସୁବିଧା ରହିଛି । ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ, ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ଚୀନ୍ ଭାରତରେ ୮ ବିଲିୟନ ଡଲାରରୁ ଅଧିକ ବିନିଯୋଗ କରିଛି । ଯଦି ଚୀନ୍ ଭାରତ ଉପରେ ଯୁଦ୍ଧ ଲଗାଏ, ତେବେ ଏହାର ପ୍ରଥମ ଫଳାଫଳ ହେବ ଯେ ଚୀନ୍ ଗୋଟିଏ ଷ୍ଟ୍ରୋକରେ ୮ ବିଲିୟନ ଡଲାର୍ ହରାଇବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଏଣୁ ସମ୍ଭାବିତ ଯୁଦ୍ଧ ପରିପ୍ରେକ୍ଷୀରେ ଭୌଗୋଳିକ, ଅର୍ଥନୈତିକ ଓ ସାମରିକ ଦକ୍ଷତା ଦୃଷ୍ଟିରୁ ଭାରତ ଚୀନ୍‌ଠାରୁ ଅନେକ ଆଗରେ ରହିଛି ବୋଲି ଦେଶର ସାମରିକ ଓ ଅର୍ଥନୈତିକ ବିଶେଷଜ୍ଞମାନେ ଦେଶବାସୀଙ୍କର ଗୋଚରାର୍ଥେ ପ୍ରକାଶ କରିଛନ୍ତି ।

Tags: