ଟିକଟକ୍ କେସ୍ ଲଢ଼ିବାକୁ ମିଳୁନାହାଁନ୍ତି ଓକିଲ: ରୋହତଗୀଙ୍କ ପରେ ସିଂଘଭୀଙ୍କ ପଛଘୁଞ୍ଚା

Spread the News

ଟିକଟକ୍ ସମେତ ୫୯ ଚାଇନା ଆପକୁ ମୋଦି ସରକାର ବ୍ୟାନ୍ କରି ଚୀନ୍‌ ଉପରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌ କରିଛନ୍ତି । ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ଏହି ଚାଇନିଜ୍‌ ଆପ୍ ହାନୀକାରକ ହୋଇଥିବାରୁ ପ୍ରତିବନ୍ଧକ ଲାଗିଛି । ଭାରତ ସରକାରଙ୍କ ଏହି ପଦକ୍ଷେପରେ ତା’ର ହଜାର ହଜାର କୋଟି ଟଙ୍କାର ଆର୍ଥିକ କ୍ଷତି ଘଟିଛି ନିଜେ ଚୀନ୍‌ ସ୍ୱୀକାର କରିସାରିଲାଣି । ତା’ଛଡ଼ା ସରକାରଙ୍କର ଏହି ପଦକ୍ଷେପକୁ ଦେଶର ସାଧାରଣ ନାଗରିକମାନେ ସ୍ୱାଗତ କରିଛନ୍ତି । ତେବେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି ଟିକଟକ୍ କମ୍ପାନୀ । କିନ୍ତୁ ମିଳୁ ନାହାଁନ୍ତି ଓକିଲ । ଟିକଟକ୍‌ କମ୍ପାନୀ ନିମନ୍ତେ ସୁପ୍ରିମକୋର୍ଟରେ ଓକିଲାତି କରିବାକୁ ଜଣଙ୍କ ପରେ ଜଣେ ଖ୍ୟାତାନାମା ଆଇନଜୀବୀ ମନା କରି ଦେଉଛନ୍ତି । ଏହା ପଛର କାରଣ ଦେଶର ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କର ଅକ୍ରୋଶରୁ ବର୍ତ୍ତିବା ବୋଲି ସବୁଆଡ଼େ ଆଲୋଚନା ହେଉଛି । ପ୍ରଥମେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଟିକଟକ୍‌ କମ୍ପାନୀ ନିମନ୍ତେ ସୁପ୍ରିମକୋର୍ଟରେ ଓକିଲାତି କରିବାକୁ ମନା କରିଥିଲେ । ଏହାପରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସଂଘଭୀ ବି ସଫା ସଫା ଟିକଟକ୍‌କୁ ନାସ୍ତିବାଣୀ ଶୁଣାଇ ଦେଇଛନ୍ତି । ସିଂଘଭୀ କହିଛନ୍ତି, ବର୍ଷେ ପୂର୍ବରୁ ଗୋଟିଏ ମାମଲାରେ ଟିକଟକ୍‌ ପକ୍ଷରୁ କେସ୍ ଲଢ଼ି ବିଜୟୀ ହୋଇଥିଲେ । ଏବେ କିନ୍ତୁ ନୁହେଁ । ବର୍ତ୍ତମାନ ପ୍ରଫେସନାଲ୍ ଡ୍ୟୁଟି ଓ ନ୍ୟାସନାଲ୍ ଡ୍ୟୁଟି ଭିତରେ ଘଡ଼ିସନ୍ଧି ମୁହୂର୍ତ୍ତ ଆସିଛି । ଆଗକୁ ଦେଖାଯାଉ ଟିକଟିକ ସୁପ୍ରିମକୋର୍ଟ ଗଲେ, କିଏ ଲଢ଼ିବ କେସ୍ ବୋଳି ସିଂଘଭୀ ପ୍ରକାଶ କରିଛନ୍ତି ।

Tags: