ଶ୍ରୀକ୍ଷେତ୍ରରେ ରଥ ଉପରେ ‘ଅଧର ପଣା’ ନୀତି…

Spread the News

ପବିତ୍ର ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ଠାରେ ତିନି ରଥ ଉପରେ ସୁନାବେଶ ଓ ତତ୍‌ପରଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇଥାଏ । ରଥାରୂଢ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ‘ଅଧର ପଣା’ କୁହାଯାଏ । ସ୍ୱତ୍ତ୍ୱଲିପି ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନକଟରେ ପହଞ୍ଚିବା ପରେ ‘ଅଧର ପଣା’ ଭୋଗ ହେବା କଥା । କିନ୍ତୁ ସମୟ ଅଭାବରୁ ଏହା ପୂର୍ବରୁ ଏକାଦଶୀ ଦିନ ଅନୁଷ୍ଠିତ ହେଉଥିଲା । ପ୍ରକୃତ ପକ୍ଷେ ଏକାଦଶୀ ଦିନ ମଧ୍ୟ ହୋଇ ନପାରି ଅନେକ ବର୍ଷ ଧରି ଦ୍ୱାଦଶୀ ତିଥିରେ ଏହି ‘ଅଧର ପଣା’ ନୀତି ସମ୍ପାଦିତ କରାଯାଉଛି, ବର୍ତ୍ତମାନ ସମୁଦାୟ ୯ ହାଣ୍ଡି ଅଧର ପଣାକୁ ତିନି ରଥରେ ଭୋଗ କରାଯାଉଥିବା ବେଳେ ପୂର୍ବରୁ ୧୨ ହାଣ୍ଡି କରାଯାଉଥିବାର ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ମତ ପ୍ରକାଶ କରିଛନ୍ତି । ଆଷାଢ ମାସ ଶୁକ୍ଳ ଦ୍ୱାଦଶୀ ଦିନ ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବାପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ । ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାତି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର ଜାଇଫଳ ଇତ୍ୟାଦି ପଣାଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥାନ୍ତି । ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁମାନଙ୍କ ଶ୍ରୀଅଧର ଉଚ୍ଚ ଥିବା ତୁମ୍ୱ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ । କିନ୍ତୁ ପ୍ରତ୍ୟେକ ହାଣ୍ଡି ସମାନ ମାପର ହେବ ବୋଲି ସେମିତି କୌଣସି ବାଧ୍ୟତା ନାହିଁ ।

ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାନ୍ତି । ଏଠାରେ ଜାଣିବା ଆବଶ୍ୟକ ଯେ, ଏହି ପାଣିଆ ଆପଟମାନଙ୍କର ମନ୍ଦିର ଭିତରେ ଦୈନନ୍ଦିନ ସେବା ମଧ୍ୟ ରହିଛି । ଶ୍ରୀଜିଉମାନଙ୍କ ଦୈନନ୍ଦିନ ନୀତି ନିମନ୍ତେ ପାଣି ଯୋଗାଇ ଦେଉଥିବାରୁ ଏହି ସେବକମାନଙ୍କୁ ପାଣିଆ ସେବକ ବୋଲି ମଧ୍ୟ କୁହାଯାଏ । ତେବେ ମନ୍ଦିର ଭିତର ନୀତି ପାଇଁ ମା’ ବିମଳାଙ୍କ କୂପରୁ ପାଣିଆ ଆପଟ ସେବକମାନେ ପାଣି ସଂଗ୍ରହ କରୁଥିବା ବେଳେ ରଥ ଉପର ଅଧର ପଣା ନୀତି ପାଇଁ ଏହି ସେବକମାନେ ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ପାଣି ସଂଗ୍ରହ କରିଥାନ୍ତି । କୂପ ଭିତରୁ ପାଣି କାଢି ରଥ ଉପରକୁ ନେବା ପର୍ଯ୍ୟନ୍ତ ପୂରା ପ୍ରକ୍ରିୟା ନିମନ୍ତେ ଅପର୍ଯ୍ୟାପ୍ତ ଶାରୀରିକ ବଳ ବିନିଯୋଗର ଆବଶ୍ୟକତା ଦୃଷ୍ଟିରୁ ଏହିଦିନ ପାଣିଆ ଆପଟ ସେବାୟତମାନେ ସାମୂହିକ ସେବାକାର୍ଯ୍ୟ ସମ୍ପାଦନ କରିଥାନ୍ତି । ତେବେ ପାଣିଆ ଆପଟ ସେବକମାନଙ୍କ ଦ୍ୱାରା ଏହି ଜଳ ବୁହା କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୁଆ ଖୋଳପା ଧରି ସମସ୍ତଙ୍କୁ ଆଡ଼େଇଥାନ୍ତି, ଯେପରି କେହି ଜଳକୁ ସ୍ପର୍ଶ କରି ମାରା କରିପାରିବେ ନାହିଁ । ସେହିଭଳି ଅଧର ପଣା ଭୋଗ ପୂର୍ବରୁ ମହାସୁଆରମାନଙ୍କ ଉପସ୍ଥିତିରେ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ଲେଖାଏଁ ଧଳା କରିଆ(ଜାଲିକନା) ପକାଯାଏ । ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ଅଛି । ମହାସୁଆରମାନେ ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି । ଏହାପରେ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥ ଉପରେ ପୂଜା ଠା’ କରନ୍ତି । ତତ୍‌ପରେ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି । ଧାର୍ମିକ ବିଶ୍ୱାସ ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇ ରଥର ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାମାନଙ୍କ ପାଇଁ ଅଧର ହାଣ୍ଡି ଭଙ୍ଗା ଯାଇଥାଏ ।

ବହୁ ଗବେଷକଙ୍କ ମତରେ ଏହି ଅଧର ହାଣ୍ଡି ଅଶୀରୀମାନଙ୍କ ଉଦ୍ଧାର ପାଇଁ ଭଙ୍ଗାଯାଇଥାଏ । ତେବେ ଏହି ଅଶୀରୀରୀମାନଙ୍କୁ ଅଧର ପଣା ସମର୍ପଣର କୌଣସି ଧାର୍ମିକ ପ୍ରଥା ନାହିଁ । ସାଧାରଣତଃ କୌଣସି ସେବକ କିମ୍ୱା ଭକ୍ତ ଏହି ପଣାକୁ ସେବା କରନ୍ତି ନାହିଁ, ଏହାର କାରଣ ଏହି ଅଧର ପଣାକୁ ପାଇବା ନିମନ୍ତେ ଅଶୀରୀରୀ ଓ ଚଣ୍ଡୀ, ଚାମୁଣ୍ଡାମାନେ ଆକୁଳ ନେତ୍ରରେ ପ୍ରତୀକ୍ଷା କରିଥାନ୍ତି । ପାଠକବନ୍ଧୁ ! ଏଠାରେ ଜାଣିରଖନ୍ତୁ ଯେ; ରଥ ଉପରେ ଅଧର ପଣା ନୀତି ସମ୍ପାଦିତ ହେବାପରେ ତତ୍‌ପରଦିନ କିମ୍ୱା ତା’ପରେ (ଶାସ୍ତ୍ରୀୟ ବାଧାବିଘ୍ନ ଥିଲେ) ଯେକୌଣସି ଦିନ ଶ୍ରୀଜିଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଥାଏ । ଏହି ନୀତିରେ ଶ୍ରୀଜିଉମାନେ ଗୋଟି ପହଣ୍ଡି ମାଧ୍ୟମରେ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି ।