ଜିଓ ପ୍ଲାଟ୍‌ଫର୍ମସ୍‌ରେ ପୁଞ୍ଜିନିବେଶ କରିବ ଇଣ୍ଟେଲ୍ କ୍ୟାପିଟାଲ୍‌

Spread the News

ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୮୯୪.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି । ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି । ଇଣ୍ଟେଲ୍ କ୍ୟାପିଟାଲ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୩୯% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଇଣ୍ଟେଲ୍ କ୍ୟାପିଟାଲ୍ ବିଶ୍ୱସ୍ତରରେ ଅଭିନବ କଂପାନିଗୁଡ଼ିକରେ ନିବେଶ କରୁଛି ଯେଉଁମାନେ ବୈପ୍ଳବିକ ପ୍ରଯୁକ୍ତି ଯଥା କ୍ଲାଉଡ୍ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତା ଓ ୫ଜି ଉପରେ କାର୍ଯ୍ୟ କରୁଛନ୍ତି । ସେମିକଣ୍ଡକ୍ଟର ଶିଳ୍ପରେ ବିଶ୍ୱର ଅଗ୍ରଣୀ ସଂସ୍ଥା ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ହେଉଛି ଇଣ୍ଟେଲ୍ କ୍ୟାପିଟାଲ୍‌, ଯାହା କମ୍ପ୍ୟୁଟିଙ୍ଗ୍ ଓ ଯୋଗାଯୋଗ ପ୍ରଯୁକ୍ତି ସହିତ ଡାଟା କୈନ୍ଦ୍ରୀକ ଭବିଷ୍ୟତର ଢାଞ୍ଚା ପ୍ରସ୍ତୁତ କରୁଛି ଯାହା ହେଉଛି ବିଶ୍ୱ ସ୍ତରୀୟ ଅଭିନବ ପଦକ୍ଷେପର ମୂଳଦୁଆ । ଇଣ୍ଟେଲ୍‌ ଭାରତରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରୁଛି ଏବଂ ଆଜିର ଦିନରେ ବେଙ୍ଗାଲୁରୁ ଓ ହାଇଦ୍ରାବାଦର ଷ୍ଟେଟ୍ ଅଫ୍ ଆର୍ଟ ଡିଜାଇନ୍ କେନ୍ଦ୍ରରେ ହଜାର ହଜାର କର୍ମଚାରୀଙ୍କୁ ନିଯୁକ୍ତ କରିଛି । ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଡିଜିଟାଲ୍ ସମାଜରେ ରୂପାନ୍ତରିତ କରିବା ଲାଗି ଆମର ରହିଥିବା ଲକ୍ଷ୍ୟରେ ଅବତୀର୍ଣ୍ଣ ହୋଇ ଆମ ସହିତ ସମ୍ପର୍କକୁ ପ୍ରଯୁକ୍ତି କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଦୃଢ଼ କରିଥିବାରୁ ଆମେ ବହୁତ ଖୁସି । ନୂତନ ପ୍ରଯୁକ୍ତିରେ ଭାରତର ଦକ୍ଷତାକୁ ବଢ଼ାଇବାରେ ଇଣ୍ଟେଲ୍ ସହିତ କାର୍ଯ୍ୟ କରିବାକୁ ଆମେ ଉତ୍ସାହିତ ଯାହା ଆମ ଅର୍ଥନୀତିର ସବୁ କ୍ଷେତ୍ରକୁ ସଶକ୍ତ କରିବ ଏବଂ ୧୩୦ କୋଟି ଭାରତୀୟଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଆଣିବ।’’ ସେହିଭଳି ଇଣ୍ଟେଲ୍ କ୍ୟାପିଟାଲ୍‌ର ସଭାପତି ୱେଣ୍ଡେଲ୍ ବ୍ରୁକସ୍ କହିଛନ୍ତି ଯେ, “ନିଜର ଉଲ୍ଲେଖନୀୟ ଇଞ୍ଜିନିୟରିଂ ଦକ୍ଷତାକୁ ଉପଯୋଗ କରି ଭାରତ ପାଇଁ ସୁଲଭ ମୂଲ୍ୟର ଡିଜିଟାଲ୍ ସେବାର ଶକ୍ତି ଆଣିବା ଉପରେ ଜିଓ ପ୍ଲାଟଫର୍ମ ଗୁରୁତ୍ୱ ଦେଉଛି । ଯାହା ଜନଜୀବନକୁ ସମୃଦ୍ଧ କରିବା ଲାଗି ବୈପ୍ଳବିକ ପ୍ରଯୁକ୍ତି ପ୍ରଦାନ କରିବା ପାଇଁ ଇଣ୍ଟେଲ୍ ରଖିଥିବା ଲକ୍ଷ୍ୟ ସହ ମେଳ ଖାଉଛି । ଆମର ବିଶ୍ୱାସ ରହିଛି ଯେ ଡିଜିଟାଲ୍ ସୁଯୋଗ ହାସଲ ଏବଂ ଡାଟା ବଳରେ ବ୍ୟବସାୟ ଓ ସମାଜରେ ବୈପ୍ଳବିକ ଉନ୍ନତି ହାସଲ କରାଯାଇପାରିବାର କ୍ଷମତା ରହିଛି ବୋଲି ବ୍ରୁକସ୍‌ ପ୍ରକାଶ କରିଛନ୍ତି ।

Tags: