ଡାକ ବିଭାଗ ଜରିଆରେ ହୋମ୍‌ ଡେଲିଭରି ହେବ କାଶୀ ବିଶ୍ୱନାଥ ମନ୍ଦିର ପ୍ରସାଦ

Spread the News

ପ୍ରତିବର୍ଷ ଶ୍ରାବଣ ମାସରେ କାଉଡ଼ିଆମାନେ ଦୂରଦୂରାନ୍ତରୁ ଯାଇ ଭଗବାନ ଶିବଙ୍କୁ ଜଳଲାଗି କରି ଭୋଗ ଚଢ଼ାଇଥାନ୍ତି । ଶୈବପୀଠଗୁଡ଼ିକ ଏଥିପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠେ । କିନ୍ତୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି ରହିଥିବା କଟକଣା ପରିପ୍ରେକ୍ଷୀରେ ଏ ବର୍ଷ ଶ୍ରାବଣ ମାସରେ ସେଭଳି କିଛି ହେବନାହିଁ । ଦେଶର ଅନେକ ରାଜ୍ୟରେ ଶୈବପୀଠଗୁଡ଼ିକରେ ଧାରା ୧୪୪ ଲାଗୁ କରାଯାଇଛି । ଏଭଳି ପରିସ୍ଥିତିରେ ଭକ୍ତମାନଙ୍କ ସ୍ୱାର୍ଥ ରକ୍ଷା ନିମିତ୍ତ ଉତ୍ତର ପ୍ରଦେଶର ବାରାଣସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର ପକ୍ଷରୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା ସଙ୍କଟ ସମୟରେ ଭକ୍ତମାନେ ସେମାନଙ୍କ ଘରେ ବସି ଯେପରି କାଶୀ ବିଶ୍ୱନାଥ ମନ୍ଦିରର ପ୍ରସାଦ ପାଇପାରିବେ ସେଥିଲାଗି ପଦକ୍ଷେପ ନିଆଯାଇଛି । ଉତ୍ତର ପ୍ରଦେଶ ସରକାରଙ୍କ ପ୍ରଦତ୍ତ ସୂଚନା ଅନୁସାରେ ଡାକ ବିଭାଗ ଜରିଆରେ ଏହି ସୁବିଧା ଯୋଗାଇ ଦିଆଯିବ । ଭଗବାନଙ୍କ ପାଇଁ ଚଢ଼ାଯାଇଥିବା ପ୍ରସାଦକୁ ସେମାନେ ସ୍ପିଡ୍‌ ପୋଷ୍ଟ ଜରିଆରେ ହାସଲ କରିପାରିବେ । ଡାକ କାର୍ଯ୍ୟାଳୟ ବାରାଣସୀ ଡିଭିଜନ୍‌ର ବରିଷ୍ଠ ଅଧୀକ୍ଷକଙ୍କ ଅଧୀନ ଯେ କୌଣସି ଡାକଘରକୁ ୨୫୧ ଟଙ୍କାର ଇ-ମନି ଅର୍ଡର କରାଯାଇ ଏହି ଭୋଗ ପାଇହେବ । ଏ ବାବଦରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟ୍‌ କରି କହିଛନ୍ତି, ଶ୍ରାବଣ ମାସରେ ଡାକ ବିଭାଗ କାଶୀ ବିଶ୍ୱନାଥ ମନ୍ଦିରର ପ୍ରସାଦ ଶ୍ରଦ୍ଧାଳୁମାନଙ୍କ ଘର ପର୍ଯ୍ୟନ୍ତ ପଠାଇବା ପାଇଁ ଉଦ୍ୟମ କରିଛି । କରୋନା କାଳରେ ବାବା ଭୋଲେନାଥଙ୍କ ଭକ୍ତମାନେ ନିଜ ଘରେ ବସି ପବିତ୍ର ପ୍ରସାଦ ପାଇପାରିବେ ।

Tags: