ରୋଚକ ମୋଡ଼ରେ ଯୁବତୀଙ୍କୁ ଅଶ୍ଳୀଳ ମେସେଜ୍‌ ଦେବା ଘଟଣା: ୫ ଜଣଙ୍କ ଦରମା ବନ୍ଦ କରିଦେଲେ ଅଭିଯୁକ୍ତ ବରିଷ୍ଠ ଓଏଏସ୍‌ ଅଫିସର

Spread the News

ଯୁବତୀଙ୍କୁ ଅଶ୍ଳୀଳ ମେସେଜ୍‌ ଓ ଭିଡିଓ ପ୍ରେରଣ କରି ଫସିଥିବା ଓଏଏସ ବାବୁଙ୍କ ଚର୍ଚ୍ଚିତ ଘଟଣା ଏବେ ନୂଆ ମୋଡ଼ ନେଇଛି । ଅଭିଯୁକ୍ତ ବରିଷ୍ଠ ଓଏଏସ୍‌ ଅଫିସ୍‌ର ବିଭୁ ପ୍ରସାଦ ଷଡ଼ଙ୍ଗୀ ଏତଲାକାରୀ ଯୁବତୀ ଓ ତାଙ୍କୁ ସହଯୋଗ କରିଥିବା ଅନ୍ୟ ୪ ଜଣଙ୍କ ଦରମା ବନ୍ଦ କରି ଦେଇଥିବା ଜଣାପଡ଼ିଛି । ସେପଟେ ମହିଳା ଥାନା ପୁଲିସ୍‌ ଯୁବତୀଙ୍କ ବୟାନ ରେକର୍ଡ କରିବା ପରେ ଶ୍ରୀ ଷଡଙ୍ଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳତା ହାସଲ କରିପାରି ନାହିଁ । ଶ୍ରୀ ଷଡ଼ଙ୍ଗୀ ଫୋନ୍‌ ସ୍ୱିଚ ଅଫ୍‌ କରି ଫେରୋର୍‌ ହୋଇଯାଇଛନ୍ତି ବୋଲି ପୁଲିସ ସୂଚନା ଦେଇଛି । ସେପଟେ ଶ୍ରୀ ଷଡଙ୍ଗୀ ମେଲ୍‌ ଜରିଆରେ ମହିଳା ଥାନାରେ ଯୁବତୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ୨ ପୃଷ୍ଠାର ପାଲଟା ଏତଲା ଦେଇଛନ୍ତି । ଉକ୍ତ ମେଲ୍‌ରେ ଶ୍ରୀ ଷଡଙ୍ଗୀ ଉଲ୍ଲେଖ କହିଛନ୍ତି, ଯେଉଁ ନମ୍ବରରେ ଅଶ୍ଳୀଳ ମେସେଜ୍‌ ଯାଇଛି ସେଇଟା ତାଙ୍କ ନମ୍ବର ନୁହେଁ ଏବଂ ଅଡିଓ ବି ତାଙ୍କର ନୁହେଁ । ଏମାନେ ଭୁଲ୍‌ କାଗଜପତ୍ର ଦେଇ ଅଫିସରେ ଚାକିରି କରିଥିବାର ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାରୁ ସେ ନିଜେ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି । ହ୍ୱାଟ୍ସଆପ୍‌ ଓ ଅଡିଓରେନ୍ସିକ୍‌ ଲ୍ୟାବ୍‌କୁ ପଠାଯାଇ ଏହିସବୁ ଭିଡିଓ ଓ ଅଡିଓଗୁଡ଼ିକୁ ଯାଞ୍ଚ କରାଯାଉ ବୋଲି ଶ୍ରୀ ଷଡ଼ଙ୍ଗୀ ଦାବି କରିଛନ୍ତି । ମେଲ୍‌ ପାଇବା ପରେ ମହିଳା ଥାନା ପୁଲିସ୍‌ ଉକ୍ତ ଏତଲା ଓଏଏସ୍‌ ଅଫିସର ଶ୍ରୀ ଷଡ଼ଙ୍ଗୀ ପଠାଇଛନ୍ତି ନା’ ଆଉ କିଏ ତାହାର ତଦନ୍ତ ଆରମ୍ଭ କରିଛି । ମେଲ୍‌ରେ ଯେଉଁ ୨ ପେଜ୍‌ର ଅଭିଯୋଗ ଆସିଛି, ସେଥିରେ ଶ୍ରୀ ଷଡଙ୍ଗୀଙ୍କ ଦସ୍ତଖତ ରହିଥିବାର ପୁଲିସ ସୂଚନା ଦେଇଛି । ଦପ୍ତରର ମେଲ୍‌ ଆଇଡିରୁ ତାହା ପଠାଯାଇଛି । ଗତକାଲି ପୁଲିସ୍‌ ଅପରାହ୍ଣ ୪ଟା ବେଳେ ନ’ତାଲାରେ ଥିବା ଶ୍ରୀ ଷଡ଼ଙ୍ଗୀଙ୍କ ଅଫିସକୁ ଯାଇଥିଲା । ହେଲେ ସେ ଅଫିସ ଆସି ନଥିଲେ । ସେ ଛୁଟିରେ ଅଛନ୍ତି ବୋଲି ତାଙ୍କର କର୍ମଚାରୀମାନେ କହିଥିଲେ । ପୁଲିସ୍‌ ତାଙ୍କ ଘରକୁ ଯାଇଥିଲା ହେଲେ ସେଠାରେ ମଧ୍ୟ ସେ ନଥିଲେ । ପୁଲିସ୍‌ ଶ୍ରୀ ଷଡଙ୍ଗୀଙ୍କୁ ଫୋନ୍‌ କରିଥିଲା ହେଲେ ସେ ଫୋନ୍‌ ଉଠାଇ ନଥିଲେ । ଅନ୍ୟ ପକ୍ଷରେ ଯୁବତୀ କହିଛନ୍ତି, ଶ୍ରୀ ଷଡ଼ଙ୍ଗୀ ଡାହା ମିଛ କହୁଛନ୍ତି । ସେ କୌଣସି କାଗଜପତ୍ର ଜାଲ୍‌ ଦେଇ ନାହାଁନ୍ତି କି କାହା କଥାରେ ପଡ଼ି ଏତଲା ଦେଇ ନାହାଁନ୍ତି ।

Tags: