ପ୍ଲାଜମା ଦାନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

Spread the News

କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକମାନେ ସେମାନଙ୍କର ପ୍ଲାଜମା ଦାନ କରିବାକୁ ସରକାର ନିବେଦନ କରୁଛନ୍ତି, ଯାହା ସଂକ୍ରମିତ ଲୋକଙ୍କ ଚିକିତ୍ସାରେ ସାହାଯ୍ୟ କରିବ । ସରକାରଙ୍କର ଏହି ନିବେଦନକୁ ସାଦରେ ଗ୍ରହଣ କରି ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ପ୍ଳାଜମା ଦାନ କରିଛନ୍ତି । ଦେଶବାସୀଙ୍କ ଜୀବନ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି । ସିନ୍ଧିଆ ପ୍ଳାଜମା ଦାନ କରିବା ସମୟରେ ନିଜ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି କି, ‘ସଂକ୍ରମଣକୁ ସାମ୍ନା କରି ମୁଁ ଏବଂ ମୋ ଭଳି ହଜାର ହଜାର ନାଗରିକ ଯେଉଁମାନେ ସୁସ୍ଥ ହୋଇସାରିଛନ୍ତି, ସେମାନେ ନିଜ ପ୍ଲାଜମା ଦାନ କରି ଅନ୍ୟ ସଂକ୍ରମିତଙ୍କ ଚିକିତ୍ସାରେ ସାହାଯ୍ୟ କରିବା ଉଚିତ୍ । ଦେଶବାସୀଙ୍କ ଜୀବନର ସୁରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ ଅଟେ।’ ଏହି ଟ୍ୱିଟ୍‌ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଟ୍ୟାଗ୍ କରିଛନ୍ତି । ସୂଚନାଯୋଗ୍ୟ ଯେ, ଜୁନ୍‌ ମାସର ପ୍ରଥମ ସପ୍ତାହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାତା ମାଧବୀ ରାଜେ ସିନ୍ଧିଆ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା । ଉଭୟଙ୍କୁ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇ ଥିଲା । ସେଠାରେ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ ।

Tags: