ପଣ୍ଡିତଙ୍କ ପୁଅ ମାଙ୍କଡ ମାରିଲେ ଦୋଷ ଲାଗିବ ନାହିଁ : ନିରଞ୍ଜନ ପଟ୍ଟନାୟକ

Spread the News

ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏକ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ଯେ, କରୋନା ସଂକ୍ରମଣ ପାଇଁ ରାଜ୍ୟର ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ଆଗାମୀ ଦୁଇବର୍ଷ ପାଇଁ କୌଣସି ନୂଆ ପଦବୀ ସୃଷ୍ଟି ନକରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିସହିତ ଅବସର ନେଉଥିବା କର୍ମଚାରୀମାନଙ୍କର ପୁନଃ ନିଯୁକ୍ତି ଉପରେ ମଧ୍ୟ ରୋକ୍‌ ଲଗାଇ ଦେଇଛନ୍ତି । ମାତ୍ର ଏହି କିଛିଦିନ ମଧ୍ୟରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ୧୦ଜଣ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିଛନ୍ତି । ଆଶ୍ଚର୍ଯ୍ୟଜନକ ଭାବରେ ଏହି ୧୦ଜଣ ଅଧିକାରୀଙ୍କ ମଧ୍ୟରୁ ୯ଜଣ କେବଳ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନିଯୁକ୍ତି ପାଇଛନ୍ତି । ଏଣୁ ପଣ୍ଡିତଙ୍କ ପୁଅ ମାଙ୍କଡ଼ ମାରିଲେ ଦୋଷ ଲାଗିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଆକ୍ଷେପ କରି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୪୫ଲକ୍ଷରୁ ଉର୍ଦ୍ଧ୍ୱ ରେଜିଷ୍ଟ୍ରିଭୁକ୍ତ ବେକାର ଯୁବକଯୁବତୀ ଅଛନ୍ତି । ଅନେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ତୁଳନାରେ ସେହି ଅନୁପାତରେ ଶିକ୍ଷକ ଶିକ୍ଷୟତ୍ରୀ ନାହାଁନ୍ତି, ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ରାଜ୍ୟର ଅନେକ ଥାନା ଚାଲିଛି, ବନବିଭାଗ ଓ ଅନ୍ୟ ଯେକୌଣସି ବିଭାଗରେ ମଧ୍ୟ ଏହି ଅବସ୍ଥା । ରାଜ୍ୟ ବାହାରେ କାମ କରୁଥିବା ପ୍ରାୟ ୧୦ଲକ୍ଷ ପ୍ରବାସୀ କରୋନା ପାଇଁ ଓଡ଼ିଶା ଫେରିଆସିଛନ୍ତି । ଏଭଳି ପରିସ୍ଥିତିରେ ଯୁବକଯୁବତୀମାନଙ୍କର ନିଯୁକ୍ତି ବନ୍ଦ କରିବା ନିମନ୍ତେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

Tags: