ପୃଥ୍ୱୀଙ୍କ ପ୍ରଶଂସାରେ ଶତମୁଖ ଜାଫର

Spread the News

ବର୍ତ୍ତମାନ ଉତ୍ତରାଖଣ୍ଡ କ୍ରିକେଟ୍‌ ଦଳର କୋଚ୍‌ ତଥା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପନର୍‌ ଓ୍ୱାସିମ ଜାଫର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ପୃଥ୍ୱୀଙ୍କୁ ଭାରତୀୟ ଦଳର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ସହ ତୁଳନା କରିଛନ୍ତି ଜାଫର । ସୂଚନା ଅନୁାରେ, ଆକାଶ ଚୋପ୍ରାଙ୍କ ଶୋ ‘ଆକାଶବାଣୀ’ରେ ବାର୍ତ୍ତାଳାପ ଅବସରରେ ଜାଫର କହିଛନ୍ତି, ନିଃସନ୍ଦେହରେ କହିବି ଯେ ମୋତେ ଲାଗୁଛି ସେ (ପୃଥ୍ୱୀ) ଜଣେ ସ୍ୱତନ୍ତ୍ର ତଥା ଦକ୍ଷତା ସମ୍ପନ୍ନ ଖେଳାଳି । ସେ ଯେଉଁଭଳି ଶର୍ଟ ମାରୁଛନ୍ତି ମୋତେ ଲାଗୁଛି ବୀରେନ୍ଦ୍ର ସେହ୍ୱାଗଙ୍କ ଭଳି ଦକ୍ଷତା ତାଙ୍କ ନିକଟରେ ରହିଛି । କିନ୍ତୁ ସେ ନିଜ ଖେଳକୁ ବୁଝିବା ଆବଶ୍ୟକ ଯେ କେଉଁଠି ତାଙ୍କୁ ବ୍ୟାକ୍‌ଫୁଟ୍‌ରେ ଖେଳିବାର ଅଛି । ଗତ ନ୍ୟୁଜିଲାଣ୍ଡ ଟୁର୍‌ରେ ଏନେଇ ତାଙ୍କୁ ଅଳ୍ପ ବହୁତେ ଶିଖାଯାଇଥିବ । ନ୍ୟୁଜିଲାଣ୍ଡରେ ସେ ୨ଥର ଶର୍ଟ ବଲ୍‌ରେ ଆଉଟ୍‌ ହୋଇ ସେମାନଙ୍କ ଜାଲରେ ଫଶି ଯାଇଥିଲେ ବୋଲି ଜାଫର ଏହି ବାର୍ତ୍ତାଳାପରେ ପ୍ରକାଶ କରିଥିଲେ । ଏଠାରେ ଉପସ୍ଥାପନା ଯୋଗ୍ୟ ଯେ, ପୃଥ୍ୱୀ ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ୪ ଟେଷ୍ଟ ମ୍ୟାଚ୍‌ ଖେଳି ୩୩୪ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସାମିଲ ରହିଛି । ସେହିଭଳି ୩ଟି ଦିନିକିଆ ମ୍ୟାଚ୍‌ରୁ ୮୪ ରନ କରିବାରେ ସମର୍ଥ ହୋଇଛନ୍ତି ।

Tags: