ହାସ୍ୟାସ୍ପଦ ବିବୃତ୍ତି ଦେଲା ଡ୍ରାଗନ୍‌, କହିଲା ବିସ୍ତାରବାଦୀ ନୀତି ଆମ ଜିନ୍‌ରେ ନାହିଁ

Spread the News

ଛଳ କପଟରେ ନିଜର ସମସ୍ତ ପଡ଼ୋଶୀ ଦେଶମାନଙ୍କର ଜମି ହଡ଼ପ କରିବା ପାଇଁ ଅହରହ ଚକ୍ରାନ୍ତ ଚକ୍ରାନ୍ତ କରିଚାଲିଥିବା ଡ୍ରାଗନ୍‌ ଆଜି ଏକ ହାସ୍ୟାସ୍ପଦ ବିବୃତ୍ତି ଦେଇଛି । ଆକ୍ରାମକ ଓ ବିସ୍ତାରବାଦୀ ନୀତି ନିଜ ଜିନ୍‌ରେ ନାହିଁ ବୋଲି ଚୀନ୍‌ କହିଛି । ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ୍‌ ୟି କହିଛନ୍ତି ଯେ ନିଜର ୫୦୦୦ ବର୍ଷର ଇତିହାସରେ ବିସ୍ତାରବାଦ ଓ ଆକ୍ରମଣ ମନୋବୃତ୍ତି ଚୀନ୍‌ର ଜିନରେ ନାହିଁ । ଚୀନ୍‌ କେବେ ମଧ୍ୟ ଆମେରିକା ପରି ହୋଇପାରିବ ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ, ନିଜର ଲଦାଖ ଗସ୍ତ କାଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌କୁ ପରୋକ୍ଷରେ ଇଙ୍ଗିତ କରି କହିଥିଲେ ଯେ ବିସ୍ତାରବାଦର ଯୁଗ ସମାପ୍ତ ହୋଇଯାଇଛି । ଏହାର ଜବାବରେ ଚୀନ୍‌ ଏପରି କହିଥିବା ଅନୁମାନ କରାଯାଉଛି । ନିଜର ପ୍ରାୟ ସମସ୍ତ ପଡ଼ୋଶୀଙ୍କ ସହିତ ଚୀନ୍‌ର ସୀମା ବିବାଦ ରହିଛି । ସମସ୍ତଙ୍କ ଅଞ୍ଚଳକୁ ଚୀନ୍‌ ନିଜ ଅଞ୍ଚଳ ବୋଲି ଦାବି କରି ଅଯଥା ବିବାଦ ସୃଷ୍ଟି କରୁଛି । ପୂର୍ବରୁ ଚୀନ୍‌ ତିବ୍ବତ ଓ ସିଜିଆନକୁ ଅଧିକାର କରି ନିଜ ସହିତ ମିଶାଇ ଦେଇଛି । ସେହିଭଳି ୧୯୬୨ ଯୁଦ୍ଧପରେ ଭାରତର ଅକସାଇ ଚୀନ ଅଞ୍ଚଳକୁ ନିଜ ଅଧିନରେ ରଖିଛି । ସେହିପରି ତାଇୱାନକୁ ନିଜର ଅଞ୍ଚଳ କହୁଛି ଓ ଏହି କ୍ଷୁଦ୍ର ଦେଶକୁ ନିଜ ସହ ମିଶାଇବାକୁ ସାମରିକ ବଳର ଉପଯୋଗ କରିଚାଲିଛି । ହଂକଂ ବାସୀଙ୍କର ସ୍ୱାଧୀନତାକୁ ମଧ୍ୟ କରାୟାତ କରିଛି ଏହି କମ୍ୟୁନିଷ୍ଟ ଦେଶ । ଏହାଛଡ଼ା ପ୍ରାକୃତିକ ସଂସାଧନକୁ ହାତେଇବା ଲକ୍ଷ୍ୟରେ ଦକ୍ଷିଣ ଚୀନ୍‌ ସାଗରକୁ ନିଜର ଅଞ୍ଚଳ ବୋଲି ଦାବି କରି ସେଠାକାର ଅନେକ ଛୋଟ ଦେଶଗୁଡ଼ିକର ବାଣିଜ୍ୟକ ପରିବହନକୁ ବାଧାପ୍ରାପ୍ତ କରିଛି ଚୀନ୍‌ । ଏ ପରିପ୍ରେକ୍ଷୀରେ ଚୀନ୍‌ର ଜିନ୍‌ରେ ବିସ୍ତାରବାଦୀ ନୀତି ନାହିଁ ବୋଲି ଏହାର ବୈଦେଶିକ ମନ୍ତ୍ରୀ କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବୈଦେଶିକ ବିଭାଗର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।