ବିରଳ ମହାଜାଗତିକ ଘଟଣା: ୨୩ ବର୍ଷ ପରେ ଖାଲି ଆଖିରେ ସ୍ପଷ୍ଟ ଦୃଶ୍ୟମାନ ହେବ ଶତାବ୍ଦୀର ପ୍ରଥମ ଧୂମକେତୁ

Spread the News

ଖାଲି ଆଖିରେ ସ୍ପଷ୍ଟ ଦୃଶ୍ୟମାନ ହେବ ଶତାବ୍ଦୀର ପ୍ରଥମ ଧୂମକେତୁ । ଦୀର୍ଘ ୨୩ବର୍ଷ ପରେ ଏଭଳି ଅପୂର୍ବ ସୁଯୋଗ ମିଳୁଥିବାରୁ ଏହାକୁ ଉପଭୋଗ କରିପାରିବେ ସାଧାରଣ ଲୋକ । ଏହି ସୁଯୋଗକୁ ଆଦୌ ହାତ ଛଡ଼ା ନକରିବାକୁ ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁସାରେ, ଗତ ମାର୍ଚ୍ଚ ମାସ ୨୭ ତାରିଖରେ ସୂର୍ଯ୍ୟଙ୍କଠାରୁ ପ୍ରାୟ ୩୧.୨ କୋଟି କିଲୋମିଟର ଦୂରରେ ଥିବା ‘ସି/୨୦୨୦ ଏଫ-୩’ ଧୂମକେତୁ ‘ନିଓୱାଇସ୍‌’ ନାମକ ଦୂରବୀକ୍ଷଣ ଦ୍ୱାରା ଆବିଷ୍କୃତ ହୋଇଥିଲା । ସେତେବେଳେ ଏହି ଧୂମକେତୁର ଗାଲାକ୍ସିରେ ସୁଦୂର ସ୍ଥିତିକୁ ନେଇ କେବଳ ଅତି ବଡ଼ ତଥା ସ୍ୱତନ୍ତ୍ର ଧରଣର ଦୂରବୀକ୍ଷଣରେ ଦୃଶ୍ୟମାନ ହେଉଥିଲା । ତେବେ ହଠାତ୍‌ ଜୁଲାଇ ମାସ ଆରମ୍ଭରେ ଧୂମକେତୁଟି ଖାଲି ଆଖିରେ ଦେଖାଯିବା ଆରମ୍ଭ ହୋଇଥିଲା । ଜ୍ୟୋତିର୍ବିଜ୍ଞାନୀମାନଙ୍କ ମତରେ ଚଳିତ ଶତାବ୍ଦୀରେ ଖାଲି ଆଖିକୁ ଦେଖାଯାଉଥିବା ଏହା ପ୍ରଥମ ଧୂମକେତୁ ହେବ । ଚଳିତବର୍ଷ ପ୍ରାରମ୍ଭରେ ଏକ ନିରାଶାଜନକ ଘଟଣାକ୍ରମରେ ୨ଟି ଧୂମକେତୁ ‘ଆଟ୍‌ଲାସ’ ଓ ‘ସ୍ୱାନ’ ଖାଲି ଆଖିରେ ଦୃଶ୍ୟମାନ ହୋଇପାରି ନଥିଲା । କିନ୍ତୁ ‘ସି/୨୦୨୦ ଏଫ-୩’ ଧୂମକେତୁ ଦେଖାଯିବା ଭଳି ଏକ ଆକସ୍ମିକ ଘଟଣାରେ ବୈଜ୍ଞାନିକମାନେ ହଠାତ୍‌ ଉତ୍ସାହିତ ହୋଇପଡ଼ି ନିଜ ନିଜର ଗବେଷଣା ଆରମ୍ଭ କରିଦେଇଛନ୍ତି । ଧୂମକେତୁଟି ଜୁଲାଇ ୩ ତାରିଖରେ ସୂର୍ଯ୍ୟର ସବୁଠାରୁ ନିକଟ ୪.୪ କୋଟି କିଲୋମିଟରକୁ ଚାଲି ଆସିଥିଲା । ଜୁଲାଇ ୨୨ ତାରିଖରେ ୧୦.୩ କୋଟି କିଲୋମିଟର ଦୂରତାରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ । କିନ୍ତୁ ୧୨ ତାରିଖରୁ ଏହା ଦେଖାଯିବା ଆରମ୍ଭ କରିବ ବୋଲି ବୈଜ୍ଞାନିକମାନେ ସୂଚନା ପ୍ରଦାନ କରିଛନ୍ତି । ଏଠାରେ ଉପସ୍ଥାପନା ଯୋଗ୍ୟ ଯେ, ଶେଷ ଥର ପାଇଁ ୧୯୯୭ ମସିହାରେ ‘ହେଲ୍‌ ବଫ୍‌’ ନାମକୁ ଧୂମକେତୁ ଖାଲି ଆଖିକୁ ଦେଖାଯାଇଥିଲା । ସି/୨୦୨୦ ଏଫ୍‌-୩ ଏବେ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର ତଥା ବାୟୁ ପ୍ରଦୂଷଣ ନଥିବା କିଛି ସ୍ଥାନରେ ଖାଲି ଆଖିରେ ଦେଖାଗଲାଣି । ଏବେ ଏହା ସୂର୍ଯ୍ୟସ୍ତ ପରେ ଉତ୍ତର-ପଶ୍ଚିମ ଦିଗବଳୟର ନିକଟରେ ଅଳ୍ପ ସମୟ ପାଇଁ ଦେଖାଯାଉଥିବାର ଲକ୍ଷ୍ୟ କରାଯାଉଛି ।

ସାଧାରଣ ଲୋକମାନେ କେମିତି ଦେଖିବେ ଏହି ଧୂମକେତୁ…

ଆସନ୍ତା କାଲି ୧୨ ତାରିଖ(ରବିବାର) ସନ୍ଧ୍ୟା ସମୟରେ ଅତିକମ୍‌ରେ ପ୍ରାୟ ଅଧଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗ୍‌ବଳୟର ୨୦ ଡିଗ୍ରୀ ଉପରେ ଏହି ଧୂମକେତୁକୁ ଦେଖାଯାଇପାରିବ । ଦିନ ବିତିବା ସହିତ କ୍ରମାନ୍ୱୟରେ ଏହି ଧୂମକେତୁ ଧୀରେ ଧୀରେ ଉପର ଆଡ଼କୁ ଗତି କରି ମାସ ଶେଷରେ ଦିଗ୍‌ବଳୟର ପ୍ରାୟ ୪୦ ଡିଗ୍ରୀ ଉପରେ ପହଞ୍ଚିବ । ସେହି ସମୟରେ ଏହାର ସ୍ଥିତି ସପ୍ତର୍ଷିମଣ୍ଡଳର ଅତି ନିକଟରେ ରହିବ । ପ୍ରାୟ ଏକଘଣ୍ଟା ଧରି ଏହା ସ୍ପଷ୍ଟ ଦେଖାଯିବ । ଏହି ସି/୨୦୨୦ ଏଫ୍‌-୩ ନାମକ ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ କ୍ରମଶଃ ଦୂରେଇ ଯିବା ଫଳରେ ୧୦ତାରିଖ ପରଠାରୁ ଏହାର ଉଜ୍ଜ୍ୱଳତା କମି କମି ଜୁଲାଇ ୩୦ ପରେ ଏହାକୁ ଖାଲି ଆଖିରେ ଦେଖିବା ଆଉ ସମ୍ଭବପର ହେବ ନାହିଁ ।

Tags: