ପ୍ରଦୂଷଣ ବଢାଇବନି ତ ବ୍ୟବହୃତ ମାସ୍କ, ଗ୍ଲୋବସ୍, ପିପିଇ କିଟ

Spread the News

ମାନବ ସମାଜ ପାଇଁ ମୃତ୍ୟୁଦୂତ ପାଲଟିଥିବା କରୋନା ପରୋକ୍ଷରେ ପରିବେଶ ପାଇଁ ଏକ ପ୍ରକାର ବରଦାନ ସାବ୍ୟସ୍ତ ହୋଇଛି। ମାତ୍ର କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ଲାଗି ମାନବ ସମାଜ ଯେଉଁ ଉପକରଣର ବ୍ୟବହାର ବାଧ୍ୟତାମୂଳକ କରିଛି ତାହା ପରୋକ୍ଷରେ ପୁନଶ୍ଚ ପରିବେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। କରୋନା ସଂକ୍ରମଣରୁ ରକ୍ଷା ପାଇଁ ମାସ୍କ, ଗ୍ଲୋବ୍ସ ଏବଂ ପିପିଇ କିଟ୍ ବ୍ୟବହାର ପରେ ଫିଙ୍ଗି ଦିଆଯାଉଥିବା ବେଳେ ତାହା ପ୍ରଦୂଷଣ ସୃଷ୍ଟି କରୁଛି। ଏହି ବର୍ଜ୍ୟ ସାମଗ୍ରୀଗୁଡିକ ପ୍ରବାହିତ ହୋଇ ସମୁଦ୍ରରେ ମିଶି ଏହାର ଜଳକୁ ବିଷାକ୍ତ କରୁଥିବା ଜଣାପଡିଛି। ଫଳରେ ସାମୁଦ୍ରିକ ପରିବେଶ ପ୍ରଦୂଷିତ ହେଉଛି। କୋଟିକୋଟି ସଂଖ୍ୟାରେ ବ୍ୟବହୃତ ମାସ୍କ ଓ ଗ୍ଲୋବ୍ସ ପ୍ରଭୃତି ସମୁଦ୍ରକୁ ଫିଙ୍ଗି ଦିଆଯାଉଥିବାରୁ ଜଳଚର ପ୍ରାଣୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥିବା ଓସିଏନ-ଏସିଆ ସଂସ୍ଥା ସୂତ୍ରରୁ ଜଣାପଡିଛି। ସଂସ୍ଥା ପକ୍ଷରୁ ହଂକଂ, ତୁର୍କୀ, ଫ୍ରାନ୍ସ ଓ ବ୍ରିଟେନ୍‌ର ସମୁଦ୍ର କୂଳରେ ପଡିଥିବା ଆବର୍ଜନାର ସର୍ଭେ କରାଯାଇଥିଲା। ଏହିଅନୁସାରେ ସମୁଦ୍ର କୂଳରୁ ୧୦୦ ମିଟର ଦୂରତା ଭିତରେ କୋଭିଡ-୧୯ ଚିକିତ୍ସା ପାଇଁ ବ୍ୟବହୃତ ମେଡିକାଲ ଆବର୍ଜନା ଟନଟନ ଜମା ହୋଇ ରହିଛି। ସମ୍ପ୍ରତି ପୃଥିବୀର ୨୧୫ଟି ଦେଶ କରୋନା ସଂକ୍ରମିତ ହୋଇଥିବା ବେଳେ ଆକଳନ ଅନୁସାରେ ଗୋଟିଏ ଲୋକ ଦିନକୁ ଦୁଇଟି ମାସ୍କ ବ୍ୟବହାର କରେ। ବ୍ୟବହାର ପରେ ଏଗୁଡିକୁ ଫିଙ୍ଗି ଦେଉଥିବା ବେଳେ ଏହା ସମୁଦ୍ରରେ ମିଶୁଛି। ଫଳରେ ସମୁଦ୍ର ଜଳ ବିଷାକ୍ତ ହେଉଛି।

Tags: