ଉଲ୍ଲେଖନୀୟ ସଫଳତା ହାସଲ କଲେ ବ୍ରଡ୍‌: ୫୦୦ ଟେଷ୍ଟ ଉଇକେଟ୍‌ କ୍ଲବ୍‌ରେ ସାମିଲ୍‌

Spread the News

ଭ୍ରମଣକାରୀ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ୩ୟ ଟେଷ୍ଟ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏକ ବିରଳ ସଫଳତା ହାସଲ କରିବାରେ ସମର୍ଥ ହୋଇଛନ୍ତି । ଟେଷ୍ଟ କ୍ରିକେଟ୍‌ ଇତିହାସରେ ବିଶ୍ୱର ୭ମ ବୋଲର ଭାବେ ବ୍ରଡ୍‌ ୫୦୦ ଉଇକେଟ୍‌ ହାସଲ କରିଛନ୍ତି । ମଙ୍ଗଳବାର ମ୍ୟାଚ୍‌ର ଅନ୍ତିମ ତଥା ୫ମ ଦିବସରେ ଓ୍ୱେଷ୍ଟଇଣ୍ଡିଜ ଓପନର୍‌ କ୍ରେଗ୍‌ ବାର୍ଥଓ୍ୱେଟ୍‌ (୧୯ ରନ)ଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ୩୪ ବର୍ଷୀୟ ବ୍ରଡ୍‌ ଏହି ମାଇଲଖୁଣ୍ଟ ହାସଲ କରିଥିଲେ । ଦ୍ୱିତୀୟ ଇଂଲଣ୍ଡ ବୋଲର ଭାବେ ସେ ୫୦୦ ଉଇକେଟ୍‌ ନେଇଛନ୍ତି । ବ୍ରଡ୍‌ଙ୍କ ପୂର୍ବରୁ ଜେମ୍ସ ଆଣ୍ଡରସନ (୫୮୯ ଉଇକେଟ୍‌) ପ୍ରଥମ ଇଂଲଣ୍ଡ ବୋଲର ଭାବେ ଟେଷ୍ଟ କ୍ରିକେଟ୍‌ରେ ଏହି ସଫଳତା ପାଇଥିଲେ । ତେବେ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ଉଇକେଟ୍‌ ନେଇଥିବା ବୋଲର ତାଲିକାରେ ଶ୍ରୀଲଙ୍କାର ମୁଥିୟା ମୁରଲୀଥରନ (୮୦୦ ଉଇକେଟ୍‌) ସର୍ବାଗ୍ରେ ରହିଛନ୍ତି । ତାଙ୍କ ପଛକୁ ଯଥାକ୍ରମେ ଅଷ୍ଟ୍ରେଲିଆର ଶେନ ଓ୍ୱର୍ନ (୭୦୮), ଭାରତର ଅନିଲ କୁମ୍ବଲେ (୬୧୯), ଆଣ୍ଡରସନ (୫୮୯), ଗ୍ଲେନ ମ୍ୟକ୍‌ଗ୍ରାଥ୍‌ (୫୬୩), କର୍ଟନୀ ଓ୍ୱାଲ୍ସ (୫୧୯) ଓ ଷ୍ଟୁଆର୍ଟ ବ୍ରଡ୍‌ ତାଲିକାର ୨ୟରୁ ୭ମ ସ୍ଥାନ ମଧ୍ୟରେ ରହିଛନ୍ତି ।

Tags: