ଦୁଇ ବିଜେପି ବିଧାୟକଙ୍କ ନାଁରେ ମାମଲା

Spread the News

ରାଜ୍ୟ ବିଜେପିର ଦୁଇ ବିଧାୟକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରି ନାଏକଙ୍କ ସମେତ ୧୦ଜଣ କର୍ମୀଙ୍କ ନାଁରେ ସମ୍ବଲପୁର ଟାଉନ୍ ଥାନାରେ ମାମଲା ରୁଜୁ କରାଯାଇଛି । ସ୍ମାରକପତ୍ର ଦେବାକୁ ଆସି କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ଦୁଇ ବିଧାୟକଙ୍କ ସମେତ କେତେକ କର୍ମୀ ସମ୍ବଲପୁର ଜିଲ୍ଲାପାଳ ଅଫିସ ଭିତରକୁ ଧସେଇ ପଶିଥିଲେ । ଏଥିସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ଏହି ଘଟଣାରେ ପୁଲିସ କେସ ନଂ ୨୭୩/୨୦ରେ ମାମଲା ରୁଜୁ କରି ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ୧ଟା ୨୦ମିନିଟ୍‌ରେ ଦୁଇ ବିଧାୟକଙ୍କ ସମେତ ବିଜେପିର କେତେକ କର୍ମୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ସ୍ମାରକପତ୍ର ଦେବାକୁ ଜିଲ୍ଲାପାଳ ଅଫିସ ଅଭିମୁଖେ ଶୋଭାଯାତ୍ରା କରି ଯାଇଥିଲେ । କୋଭିଡ୍ କଟକଣା ଯୋଗୁଁ ବିନା ଅନୁମତିରେ ଜିଲ୍ଲାପାଳଙ୍କ ଅଫିସକୁ ପ୍ରବେଶ ନିଷେଧ ରହିଛି । ଏନେଇ ଅଫିସ ଗେଟ୍ ବାହାରେ ପୁଲିସ ପହରା ଦେଉଥିଲେ । ଏତେ ସଂଖ୍ୟାରେ ଭିଡ଼ ଦେଖି ପୁଲିସ ଭିତରକୁ ଯିବାକୁ ସେମାନଙ୍କୁ ଅନୁମତି ଦେଇନଥିଲା । ଏହାସହ ସେମାନଙ୍କୁ ସାମାଜିକ ଦୂରତା ମାନିବା ସହ ଗହଳି ନକରିବାକୁ ପୁଲିସ ଅନୁରୋଧ କରିଥିଲା । ଏମିତିକି କର୍ତୁପକ୍ଷଙ୍କ ବିନା ଅନୁମତିରେ ଭିତରକୁ କାହାରିକୁ ଛଡ଼ାଯିବ ନାହିଁ ବୋଲି ପୁଲିସ କହିଥିଲା । ହେଲେ ସେମାନେ ଭିତରକୁ ଯିବାକୁ ଜିଦ୍ ଧରି ବସିଥିଲେ ।
କୋଭିଡ୍ କଟକଣା ଯୋଗୁଁ ଦାବିପତ୍ରଟି ସମ୍ବଲପୁର ଉପଜିଲ୍ଲାପାଳଙ୍କୁ ମୁଖ୍ୟଗେଟ୍ ପାଖରେ ଦେବା ପାଇଁ ଆନ୍ଦୋଳନକାରୀଙ୍କୁ ପୁଲିସ କହିଥିଲେ । ଉପଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିବା ପାଇଁ ମଧ୍ୟ ରାଜି ହୋଇଯାଇଥିଲେ । ହେଲେ ବିଜେପି କର୍ମୀମାନେ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ଦାବି କରିଥିଲେ । ଶେଷରେ ସେମାନେ ପୁଲିସକୁ ଧସେଇ ଜିଲ୍ଲାପାଳ ଅଫିସ ପରିସରକୁ ପଶିଥିଲେ । ପୁଲିସ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଗାଳିମନ୍ଦ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତାଙ୍କ ଅଫିସ ଭିତରେ କାର୍ଯ୍ୟ କରୁଥିବା ବେଳେ ଆନ୍ଦୋଳନକାରୀମାନେ ସେଠାକୁ ଯାଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ।
କୋଭିଡ୍ ସମୟରେ ଏତେ ସଂଖ୍ୟାରେ ଲୋକ ଏକାଠି ହୋଇ ଅନ୍ୟମାନଙ୍କ ପ୍ରତି ସେମାନେ ବିପଦ ସୃଷ୍ଟି କରିଛନ୍ତି । ମନା କରିବା ସତ୍ୱେ ମଧ୍ୟ ସେମାନେ ଜିଲ୍ଲାପାଳ ଅଫିସ ପରିସରକୁ ପୁଲିସକୁ ଧସେଇ ପଶି ଉପଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହା ସମ୍ପୂର୍ଣ୍ଣ ଭାବେ କୋଭିଡ୍ ଗାଇଡ୍‌ଲାଇନକୁ ଉଲ୍ଲଙ୍ଘନ କରୁଛି । ଏନେଇ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାରେ ଏତଲା ଦାୟର ହୋଇଛି ।

Tags: ,