ପ୍ରଥମ ଥର ପାଇଁ ସାମ୍ନାକୁ ଆସି ଏଭଳି ପ୍ରତିକ୍ରିୟା ରଖିଲେ ରିୟା; ଦେଖନ୍ତୁ ଭିଡିଓ

Spread the News

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ମାମଲା ରୁଜୁ ପରେ ବିବ୍ରତ ହୋଇପଡିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପ୍ରଥମ ଥର ପାଇଁ ରିୟା ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାକୁ ନେଇ ଏକ ଭିଡିଓ ଜାରି କରିବା ସହ ନ୍ୟାୟ ଉପରେ ବିଶ୍ୱାସ ରହିଥିବା ବେଳେ ସତ୍ୟର ବିଜୟ ହେବ ବୋଲି କହିଛନ୍ତି ସେ ।

ଭିଡିଓରେ ରିୟା କହିଛନ୍ତି ଯେ ମୋତେ ଭଗବାନ ଓ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ସତ୍ୟ ନିଶ୍ଚିତ ସାମ୍ନାକୁ ଆସିବ । ଗଣମାଧ୍ୟମରେ ମୋ ବିରୁଦ୍ଧରେ ଅନେକ ଆଲୋଚନା ହେଉଛି । ହେଲେ ଆଇନଜୀବୀଙ୍କ ପରାମର୍ଶରେ କୌଣସି ଟିପ୍ପଣୀ ରଖୁନାହିଁ । ମାମଲା ଏବେ ବିଚାରାଧୀନ ରହିଛି । ଏହାସହ ସେ ଶେଷରେ ରିୟା ‘ସତ୍ୟମେବ ଜୟତେ’ ବୋଲି କହିଛନ୍ତି ।

ଶୁକ୍ରବାର ମନି ଲଣ୍ଡରିଂ ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ରିୟା ଚକ୍ରବର୍ତ୍ତୀଙ୍କ ଉପରେ ୧୫ କୋଟି ଟଙ୍କାର ହେରଫେରର ନେଇ ସୁଶାନ୍ତଙ୍କ ବାପା କେକେ ସିଂହ ଅଭିଯୋଗ ଆଣିଛନ୍ତି । ସମ୍ପୂର୍ଣ୍ଣ ସୂଚନା ଉପରେ ତର୍ଜମା କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମାମଲା ରୁଜୁ କରାଯାଇଥିବା କୁହାଯାଇଛି । ତେବେ ଆଗାମୀ ଦିନରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଘଟଣା ବାବଦରେ ପଚରାଉଚୁରା କରାଯାଇପାରେ ବୋଲି ସୂଚନା ମିଳିଛି ।