ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ମନି ଲଣ୍ଡିରିଂ ମାମଲା ରୁଜୁ କଲା ଇଡି

Spread the News

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତ୍ବରାନ୍ବିତ ହୋଇଛି ଯାଞ୍ଚର ଗତି । ଉଭୟ ମୁମ୍ବାଇ ଓ ବିହାର ପୋଲିସ ମାମଲାର ଯାଞ୍ଚରେ ଲାଗିଛନ୍ତି । ଏପରିସ୍ଥିତିରେ ଏହି ଘଟଣାର ଯାଞ୍ଚ ପ୍ରକ୍ରିୟା ସିବିଆଇକୁ ହସ୍ତାନ୍ତର କରିବାକୁ ସାଧାରଣରେ ଦାବି ଜୋର ଧରିଛି । ଏହି ମଧ୍ୟରେ ସକ୍ରିୟ ହୋଇ ଉଠିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘଟଣାରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି ଇଡି ।

ଇଡି ସୁଶାନ୍ତ ସିଂହ ରାଜପୁତଙ୍କ ମହିଳା ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିବା ଜଣାପଡିଛି । ରିୟା ଏବଂ ତାଙ୍କ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିବା ସ୍ପଷ୍ଟ କରିଛି ଇଡି । ଏହା ପୂର୍ବରୁ ଗୁରୁବାର ଇଡି ପାଟନା ପୋଲିସକୁ ଅଭିଯୋଗ ପତ୍ର ମାଗିଥିଲା । ରିୟା ଚକ୍ରବର୍ତ୍ତୀଙ୍କ ଉପରେ ୧୫ କୋଟି ଟଙ୍କାର ହେରଫେର ନେଇ ସୁଶାନ୍ତଙ୍କ ବାପା କେକେ ସିଂହ ଅଭିଯୋଗ ଆଣିଛନ୍ତି । ସମ୍ପୂର୍ଣ୍ଣ ସୂଚନା ଉପରେ ତର୍ଜମା କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମାମଲା ରୁଜୁ କରାଯାଇଥିବା କୁହାଯାଇଛି । ତେବେ ଆଗାମୀ ଦିନରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଘଟଣା ବାବଦରେ ପଚରାଉଚୁରା କରାଯାଇପାରେ ବୋଲି ସୂଚନା ମିଳିଛି ।

ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଟ୍ବିଟ କରି କହିଥିଲେ ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ସାଧାରଣରେ ଦାବି ଉଠୁଛି । ଏନେଇ ଜନଭାବନା ଜାଗ୍ରତ ହୋଇଛି । ହେଲେ ରାଜ୍ୟସରକାରଙ୍କ ଅନିଚ୍ଛା ସତ୍ତ୍ବେ ଯାଞ୍ଚରେ ବାଧାସୃଷ୍ଟି ହେଉଥିବା ସେ କହିଛନ୍ତି । ତେବେ ଘଟଣାରେ ଅର୍ଥ ହେରଫେର ସନ୍ଦେହ କରି ଏହାକୁ ଇଡିକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ ଦେବେନ୍ଦ୍ର ।