ପଞ୍ଜାବରେ ମଦମୃତ୍ୟୁ ଘଟଣା, ସଂଖ୍ୟା ୮୭ କୁ ବୃଦ୍ଧି

Spread the News

ପଞ୍ଜାବରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୮୭ କୁ ବୃଦ୍ଧି ପାଇଛି। ପଞ୍ଜାବର ଅମୃତସର, ବଟାଲା ଓ ତରନତାରାରେ ଏହି ମୃତ୍ୟୁ ଘଟିଛି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୫ ଜଣଙ୍କୁ ଗିରଫ କରିଛି । ସେପଟେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି । ପଚାରା ଉଚାରା ପରେ ଏହି ମାମଲାରେ ଜଡିତ ଅଧିକ ଲୋକ ଗିରଫ ହେବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏହି ମାମଲାରେ ସମ୍ପୃକ୍ତ ଥିବା ନେଇ ୭ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ଡିଏସପି ଏବଂ ପଞ୍ଜାବ ପୋଲିସର ଚାରିଜଣ ଏସଏଚଓ ଥିବା ଜଣା ପଡିଛି । ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ମଧ୍ୟରେ କେବଳ ତରନତାରାର ୬୪ ଜଣ ଥିବା ବେଳେ ଅମୃତସରର ୧୨ ଏବଂ ବଟାଲାର ୧୧ ଜଣ ରହିଛନ୍ତି ।

ସୂଚନା ମୁତାବକ, ୨୯ ଜୁନ ରାତିରେ ଅମୃତସର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମୁଛଲ ଓ ତଙ୍ଗ୍ରାରେ ପ୍ରଥମେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ୩୦ ଜୁଲାଇ ସଂଧ୍ୟାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏହାପରେ ଶନିବାର ସକାଳୁ ବଟାଲା ଓ ତରନତାରାରେ ୪୫ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା । ତେବେ ଶନିବାର ସନ୍ଧ୍ୟା ସୁଦ୍ଧା ଏହି ମାମଲାରେ ୮୭ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପଞ୍ଜାବ ସରକାର ତତ୍ପରତା ଦେଖାଇଛନ୍ତି । ମାମଲାର ଜିଲ୍ଲାପାଳ ସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ । ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟାକୁ ଜଲନ୍ଧର ଡିଭିଜନ କମିଶନରଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ କିଛି ପରିବାର ପୋଲିସକୁ ନଜଣାଇ ମୃତଦେହର ଅନ୍ତିମ ସଂସ୍କାର କରିଦେଇଥିବା ତରନତାରା ପୋଲିସ କହିଛି ।