ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ହେଲେ ସିନ୍ଧୋଳର ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ

Spread the News

ଆଜି କ୍ରାନ୍ତି ଦିବସ । ଏହି ଅବସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କୁ ମହାମହୀମ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ସମ୍ମାନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି ।

ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ଘର ବାଲିକୁଦା ବ୍ଳକ ସିନ୍ଧୋଳ ଗ୍ରାମରେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସିନ୍ଧୋଳ ଗ୍ରାମରେ ପହଞ୍ଚି, ଉତ୍ତରୀୟ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏଥିସହିତ ଆର୍ଶୀବାଦ କାମନା କରିଥିଲେ ।

ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଥାନ୍ତି । ମାତ୍ର ଚଳିତ ବର୍ଷ କରୋନା କଟକଣା କାରଣରୁ କ୍ରାନ୍ତି ଦିବସରେ ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମ ସମ୍ଭବ ହୋଇପାରିନାହିଁ । ଏହା ପରିବର୍ତ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଗ୍ରାମୀ ମାନଙ୍କୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରାଯାଉଛି।

୧୯୧୮ ମସିହାରେ ଜନ୍ମ ଗ୍ରହଣ କରିଥିବା ସଂଗ୍ରାମୀ ବିଶ୍ୱନାଥ, ନବକୃଷ୍ଣ ଚୌଧୁରୀ, ଜାତୀୟ କବି ବୀରକିଶୋର, ଡ. ହରେକୃଷ୍ଣ ମହତାବଙ୍କ ଭଳି ସଂଗ୍ରାମୀଙ୍କ ସହିତ କାମ କରିଥିଲେ। ଏରସମା ଥାନାପୋଡି ଘଟଣାରେ ଇଂରେଜ ସରକାର ତାଙ୍କୁ ଗିରଫ କରିଥିଲା। ସେ ସ୍ୱାଧୀନତା ସଂଗ୍ରାମରେ ଝାସଦେଇ ଚାରିଚାରି ଥର କାରାବରଣ କରିଥିଲେ। ୨ୟ ଥରପାଇଁ ରାଷ୍ଟ୍ରପତି ପୁରସ୍କାର ପାଇବାପରେ ସେ ଖୁସିବ୍ୟକ୍ତ କରିଛନ୍ତି।

Tags: