ବରଫ ତଳେ ଚାପି ହୋଇ ଚାଲିଗଲା ୨୨ ଜୀବନ

ବରଫ ତଳେ ଚାପି ହୋଇ ଚାଲିଗଲା ୨୨ ଜୀବନ

ବରଫ ତଳେ ଚାପି ହୋଇ ପ୍ରାଣ ହରେଇଲେ ୨୨ ପର୍ଯ୍ୟଟକ। ପାକିସ୍ତାନର ରାୱଲପିଣ୍ଡି ସ୍ଥିତ ମୁରି ସହରରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରବଳ ତୁଷାରପାତ ଯୋଗୁଁ ଏଭଳି ଘଟଣା ଘଟିଥିବା ନେଇ ସୂଚନା ମିଳିଛି।ପାକିସ୍ତାନରେ ଭୀଷଣ ବରଫପାତ ବିଗତ ୨୦ ବର୍ଷର ରେକର୍ଡ ଭାଙ୍ଗିଦେଇଛି। ସୂଚନା ଅନୁଯାୟୀ ଲଗାତାର ତୁଷାରପାତ ହେତୁ କାରଗୁଡିକ ବରଫରେ ପୋତି ହୋଇ ଆଗକୁ ଆଉ ଯାଇପାରି ନଥିଲା।ଏହାପରେ ଏଠାରେ ସରକାରଙ୍କ ପକ୍ଷରୁ ଜରୁରି ପରିସ୍ଥିତି ଘୋଷଣା କରାଯାଇଛି । ଉଧାରରେ ବିଳମ୍ବ ହେବାରୁ ଥଣ୍ଡା ଏବଂ ଶ୍ୱାସରୁଦ୍ଧ ହୋଇ କାର ଭିତରେ ଥିବା ଲୋକଙ୍କ ଜୀବନ ଚାଲି ଯାଇଥିଲା। ଭିଡିଓରେ ଦେଖିବାକୁ ମିଳିଛି ଯେ, ରାସ୍ତା ଉପରେ କାର୍‌ଗୁଡିକ ଲମ୍ବା ଲାଇନ୍‌ରେ ଠିଆ ହୋଇ ବରଫ ଭିତରେ ପୋତି ହୋଇ ରହିଛି। ଅନେକ ସ୍ଥାନରେ କାର୍‌ ଉପରେ ଗଛ ମଧ୍ୟ ଉପୁଡି ପଡିଛି, ଫଳରେ ଗାଡିଗୁଡିକ ଆଗକୁ ବଢ଼ି ପାରିନି। ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ମୁରିରେ ହଜାର ହଜାର ଗାଡି ରାସ୍ତାରେ ଅଟକି ରହିଥିଲା ଆଉ ତା’ଉପରେ ବରଫର ମୋଟା ଆସ୍ତରଣ ଜମି ଥିଲା। କାରଗୁଡିକ ଘଣ୍ଟା ଘଣ୍ଟା ଧରି ବରଫରେ ପୋତି ରହିଥିଲା ଏବଂ ଲୋକମାନେ ଭିତରେ ବନ୍ଦ ହୋଇ ରହିଥିଲେ। ପ୍ରବଳ ଥଣ୍ଡା ଯୋଗୁଁ କାରରେ ବସିଥିବା ଲୋକମାନେ ସେଠାରେ ହିଁ ଜମି ଯାଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବାର ଜଣାପଡ଼ିଛି। ପ୍ରାୟ ୧୧୦୦ ଲୋକଙ୍କୁ ବରଫ ଭିତରୁ ଉଦ୍ଧାର କରାଯାଇଛି।ଏବେବି ମୁରିରେ ବରଫ ବର୍ଷା ଜାରି ରହିଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଘଟଣାକୁ ନେଇ ଶୋକବ୍ୟକ୍ତ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।