କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୁଖତାର୍ ଅନସାରୀକୁ ଜାମିନ

କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୁଖତାର୍ ଅନସାରୀକୁ ଜାମିନ

ବାହୁବଳୀ ବିଧାୟକ ରହିସାରିଥିବା ତଥା ଗ୍ୟାଙ୍ଗଷ୍ଟର ମୁଖତାର୍‌ ଅନସାରୀକୁ ବଡ ଆଶ୍ବସ୍ତି ମିଳିଛି । ଗ୍ୟାଙ୍ଗଷ୍ଟର ଆକ୍ଟରେ ମୁଖତାର ଅନସାରୀକୁ ଜାମିନ ପ୍ରଦାନ କରିଛନ୍ତି ମଉର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ । ଏହା ସହିତ ତାକୁ ମୁକ୍ତ କରିବାକୁ ବାନ୍ଦା ଜିଲ୍ଲା ଏସ୍‌ପିଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ ।

କେବଳ ଏହି ଗୋଟିଏ ମାମଲା ନୁହେଁ, ଆହୁରି ଅନେକ ମାମଲା ମୁଖତାର୍‌ ଅନସାରୀ ବିରୁଦ୍ଧରେ ପୂର୍ବରୁ ରହିଛି । ଗୋଟିଏ ମାମଲାରେ ତାକୁ ଜାମିନ ମିଳିଛି କିନ୍ତୁ ଅନ୍ୟ ମାମଲା ଏବେ ବି ବିଚାରଧୀନ ଥିବାରୁ ଏବେ ସେ ଜେଲରୁ ବାହାରିବାକୁ ନେଇ ସସ୍‌ପେନ୍ସ ଲାଗିରହିଛି । ତେବେ ୟୁପି ନିର୍ବାଚନ ଶେଷ ହେବା ଯାଏଁ ସେ ଜେଲରେ ରହିବା ଏକ ପ୍ରକାର ସ୍ପଷ୍ଟ ଜଣାପଡୁଛି ।

ମୁଖତାର୍‌ ଅନସାରୀର ଓକିଲ ଦାରୋଗା ସିଂହଙ୍କ କହିବା କଥା ଯେ, ଗ୍ୟାଙ୍ଗଷ୍ଟର ମାମଲା ୨୦୧୦ରେ ରୁଜୁ ହୋଇଥିଲା । ଗ୍ୟାଙ୍ଗଷ୍ଟର ମାମଲା ପୋଲିସ ହିଁ ରୁଜୁ କରେ । ୨୦୧୦ରେ ମାମଲା ରୁଜୁ ହେବାପରେ ୨୦୧୧ରେ ମୁଖତାର ଅନସାରୀଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିଲା ପୋଲିସ । ସେବେଠାରୁ ସେ ଜେଲ୍‌ରେ ଅଛି ।

ଗ୍ୟାଙ୍ଗଷ୍ଟର ମାମଲାରେ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡାଦେଶ ରହିଛି । ତେବେ ମୁଖତାର୍ ଅନସାରୀର କାରାଗାର ଅବଧି ଶେଷ ହୋଇଯାଇଛି । ୧୦ ବର୍ଷରୁ ଅଧିକ ସମୟ ଧରି ସେ ଜେଲରେ ରହିଛି । ତେଣୁ ତାଙ୍କୁ ଜାମିନ୍‌ ମିଳିବା ଆବଶ୍ୟକ ବୋଲି ଦାରୋଗା ସିଂହ କହିଛନ୍ତି । ଏହାକୁ ହୃଦୟଙ୍ଗମ କରି କୋର୍ଟ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଏହା ସହିତ ଜେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଛାଡିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି ।