ବେଙ୍ଗଲ ବିଜେପିକୁ ଲାଗିପା​‌ରେ ଆଉ ଏକ ଶକ୍ତ ଝଟ୍‌କା, ଟିଏମସିରେ ସାମିଲ ହେବେ ଏହି ହେଭିଓ୍ବେଟ୍ !

ବେଙ୍ଗଲ ବିଜେପିକୁ ଲାଗିପା​‌ରେ ଆଉ ଏକ ଶକ୍ତ ଝଟ୍‌କା, ଟିଏମସିରେ ସାମିଲ ହେବେ ଏହି ହେଭିଓ୍ବେଟ୍ !
ବେଙ୍ଗଲ ବିଜେପିକୁ ଲାଗିପା​‌ରେ ଆଉ ଏକ ଶକ୍ତ ଝଟ୍‌କା, ଟିଏମସିରେ ସାମିଲ ହେବେ ଏହି ହେଭିଓ୍ବେଟ୍ !

କୋଲକାତା ୨୮/୦୯ : ପଶ୍ଚିମବଙ୍ଗ ରାଜନୀତିରେ ଏବେ ଘଟିକେ ଘୋଡା ଛୁଟୁଛି । ଆଉ ମାତ୍ର କେଇ ଘଣ୍ଟାରେ ଭବାନୀପୁରରେ ଉପନିର୍ବାଚନ ପାଇଁ ଭୋଟ ଦାନ ହେବ । ସୋମବାର ପ୍ରଚାର କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିପକ୍ଷରେ ଅଛନ୍ତି ବିଜେପି ନେତ୍ରୀ ପ୍ରିୟଙ୍କା ଟିବରେଓ୍ବାଲ ।

ନିର୍ବାଚନ ଠିକ ପୂର୍ବରୁ ବିଜେପି ଏବଂ ଟିଏମ୍‌ସି ମଧ୍ୟରେ ଆରମ୍ଭ ହୋଇଯାଇଛି ଟ୍ବିଟର୍‌ ଯୁଦ୍ଧ । ବେଙ୍ଗଲୀ ଫିଲ୍ମ ଅଭିନେତ୍ରୀ ତଥା ବିଜେପି ସାଂସଦ ଲକେଟ୍‌ ଚାଟାର୍ଜୀ ତୃଣମୂଳ କଂଗ୍ରେସରେ ସାମିଲ ହେବାନେଇ ଚର୍ଚ୍ଚା​‌ ଜୋରଧରିଛି । ଟ୍ବିଟରରେ ବିଜେପି ନେତ୍ରୀ ଲକେଟ୍‌ ଚାଟାର୍ଜୀ ଏବଂ ଟିଏମ୍‌ସି ପ୍ରବକ୍ତା କୃଣାଳ ଘୋଷଙ୍କ ମଧ୍ୟରେ ଶବ୍ଦ ବ୍ୟବହାରକୁ ନେଇ ଏଭଳି ଅନୁମାନ କରାଯାଉଛି । ବେଙ୍ଗଲ ପରିବହନ ମନ୍ତ୍ରୀ ଫିରହାଦ ହାକିମ ୩ ଦିନ ପୂର୍ବରୁ ମଧ୍ୟ କହିଥିଲେ ଯେ, ‘ବିଜେପିର ଜଣେ ଆଗଧାଡିର ନେତା କିଛିଦିନ ମଧ୍ୟରେ ତୃଣମୂଳ କଂଗ୍ରେସରେ ସାମିଲ ହେବାକୁ ପ୍ରସ୍ତୁତ ହେଉଛନ୍ତି । ଆଉ କିଛି ଦିନ ମଧ୍ୟରେ ବେଙ୍ଗଲରେ ବିଜେପି ଦଳ ଛାରଖାର ହୋଇଯିବ ।’

କିନ୍ତୁ ବିଜେପିର କେଉଁ ବଡ ନେତା ଟିଏମ୍‌ସିରେ ସାମିଲ ହେବେ ସେ ନେଇ କୌଣସି ସୂଚନା ଦେଇନଥିଲେ ହାକିମ । କିନ୍ତୁ ଏବେ କୃଣାଳ ଘୋଷଙ୍କ ଟ୍ବିଟ୍‌ ପରେ ପୁଣିଥରେ ସରଗରମ ହୋଇଛି ଚର୍ଚ୍ଚା । ଟ୍ବିଟ୍‌ କରି ଘୋଷ ଲେଖିଛନ୍ତି, ‘ଭବାନୀପୁରରେ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇନଥିବାରୁ ଧନ୍ୟବାଦ, ଷ୍ଟାର ପ୍ରଚାରକ । ବିଜେପିର ଅନେକ ଅନୁରୋଧ ପରେ ବି ଆପଣ ପ୍ରଚାରରେ ସାମିଲ ହୋଇନଥିଲେ । ଜଣେ ବନ୍ଧୁ ଭାବେ ଆପଣଙ୍କ ସଫଳତା କାମନା କରୁଛି । ଆଶା କରୁଛି ପୁରୁଣା ଦିନ ପୁଣିଥରେ ଫେରିବ । ଯେତେବେଳେକି ଆପଣ ଆପଣଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।’