ନିଜାମ ଗଡ଼ ହାଇଦ୍ରାବାଦ୍‌ରେ ଗୈରିକ ଧ୍ୱଜ ଉଡ଼ାଇଲା ପରେ ବିଜେପି ଟାର୍ଗେଟ୍‌ରେ ଏବେ କେରଳର ପଞ୍ଚାୟତ, ପୌରପାଳିକା ଓ ପୌରନିଗମ ନିର୍ବାଚନ...

ନିଜାମ ଗଡ଼ ହାଇଦ୍ରାବାଦ୍‌ରେ ଗୈରିକ ଧ୍ୱଜ ଉଡ଼ାଇଲା ପରେ ବିଜେପି ଟାର୍ଗେଟ୍‌ରେ ଏବେ କେରଳର ପଞ୍ଚାୟତ, ପୌରପାଳିକା ଓ ପୌରନିଗମ ନିର୍ବାଚନ...

ନିଜାମ ଗଡ଼ ହାଇଦ୍ରାବାଦ୍‌ରେ ବିଜେପିର ଦମ୍‌ଦାର ପ୍ରଦର୍ଶନ ଦେଶର ଅଧିକାଂଶ ରାଜନୈତିକ ସମୀକ୍ଷକମାନଙ୍କୁ ଆଚମ୍ୱିତ କରିଛି । ଏଭଳି ସଫଳତା ହାସଲ କରିବା ପରେ ବିଶ୍ୱର ଏହି ବୃହତ୍ତମ ଦଳ ଏବେ ନଜର ପକାଇଛି କେରଳର ପଞ୍ଚାୟତ, ପୌରପାଳିକା ଓ ପୌରନିଗମ ନିର୍ବାଚନ ଉପରେ । କେରଳରେ ଆସନ୍ତା ୮, ୧୦ ଓ ୧୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦଶନ୍ଧି ଦଶନ୍ଧି ଧରି କଂଗ୍ରେସ ଓ ବାମମେଣ୍ଟ, ଦେଶର ଏହି ଦକ୍ଷିଣ ରାଜ୍ୟରେ ଶାସନ କରିଆସୁଛନ୍ତି । ଏଠାରେ ମୋଟ ଜନସଂଖ୍ୟାର ୪୫ ପ୍ରତିଶତ ସଂଖ୍ୟାଲଘୁ ହୋଇଥିବାରୁ ଏହାର ଫାଇଦା ସ୍ୱାଭାବିକ ଭାବରେ କଂଗ୍ରେସ ନେତୃତ୍ତ୍ୱାଧୀନ ‘ୟୁଡ଼ିଏଫ’ କିମ୍ୱା ସିପିଏମ୍‌ ନେତୃତ୍ତ୍ୱାଧୀନ ‘ଏଲ୍‌ଡିଏଫ୍‌’କୁ ମିଳିଥାଏ । ମାତ୍ର ଚଳିତଥର ନିର୍ବାଚନରେ ବିଜେପି ଏଭଳି ଆଶ୍ଚର୍ଯ୍ୟଚକିତ ରଣନୀତି ପ୍ରସ୍ତୁତ କରିଛି ଯାହାକୁ ନେଇ କଂଗ୍ରେସ ଓ ବାମମେଣ୍ଟ ଶିବିରରେ ଚିରାଚରିତ ଫଳାଫଳକୁ ନେଇ ସମସ୍ତେ ଆଶା ଓ ଆଶଙ୍କାରେ ରହିଛନ୍ତି । ସୂଚନା ମୁତାବକ, ଚଳିତ ନର୍ବାଚନରେ ବିଜେପି ସଫଳତା ହାସଲ କରିବା ପାଇଁ ସମୁଦାୟ ୧୧୨ ମୁସଲିମ୍‌ ଓ ୫୦୦ ଖ୍ରୀଷ୍ଟିଆନ୍‌ଙ୍କୁ ନିଜର ପ୍ରତ୍ୟାଶୀ ଭାବରେ ପ୍ରାର୍ଥୀ କରିଛି । ଗେରୁଆ ଦଳର ଏଭଳି ନିର୍ବାଚନୀ ଗୋଟିଚାଳନା ବିରୋଧୀମାନଙ୍କୁ କ୍ଷତି ପହଞ୍ଚାଇବା ଏକପ୍ରକାର ନିଶ୍ଚିତ । ଭାରତର ଏହି ଦକ୍ଷିଣ ରାଜ୍ୟ କେରଳରେ ଅଣପାରମ୍ପିକ ଦଳ ଭାବରେ ବିଜେପି ପ୍ରତିଦ୍ୱନ୍ଦିତା କରୁଥିଲେ ମଧ୍ୟ ଚଳିତଥର ଅପ୍ରତ୍ୟାଶିତ ଫଳାଫଳ ହାସଲ କରିବାରେ ବିଜେପି ସମର୍ଥ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ରାଜନୈତିକ ସମୀକ୍ଷକମାନେ ପ୍ରକାଶ କରିଛନ୍ତି । ତେବେ ଦକ୍ଷିଣ ଭାରତରେ ଦିନକୁ ଦିନ ଗେରୁଆ ଦଳ ତାର ସ୍ଥିତିକୁ ମଜବୁତ୍‌ କରିବାରେ ଲାଗିଛି ଏବଂ କେରଳରେ ମଧ୍ୟ ହାଇଦ୍ରାବାଦ୍‌ ସଦୃଶ ନିଜର ସମସ୍ତ ବଳ ଖଟାଇବାକୁ ବିଜେପି ପଛଘୁଞ୍ଚା ଦେବ ନାହିଁ ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି । ତେବେ ଆଉ କିଛିଦିନର ପ୍ରତୀକ୍ଷା ପରେ ‘ବିଜେପି’ର ରଣକୌଶଳ କେତେଦୂର ସଫଳ ହେଲା ତାହା ସ୍ପଷ୍ଟ ହୋଇଯିବ ।