ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗ୍ସ

ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗ୍ସ

ଆଇପିଏଲ ୨୦୨୨ର ମେଗା ନିଲାମର ରବିବାର ହେଉଛି ଦ୍ଵିତୀୟ ଦିନ। ବେଙ୍ଗାଲୁରୁରେ ଚାଲିଥିବା ନିଲାମରେ ଆଜି ଲିୟାମ ଲିଭିଙ୍ଗଷ୍ଟୋନ, ଓଡିଅନ ସ୍ମିଥ୍‌, ଜୋଫ୍ରା ଆର୍ଚରଙ୍କ ପରି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଅପରପକ୍ଷେ କିଛି ଖେଳାଳିଙ୍କୁ ଆଶା ମୁତାବକ ଅର୍ଥ ମିଳିନାହିଁ।

ଏହା ମଧ୍ୟରେ ଓଡିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି ନିଲାମରେ ବିକ୍ରି ହୋଇଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ଶୁଭ୍ରାଂଶଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି। ଶୁଭ୍ରାଂଶୁଙ୍କ ମୂଳ ଦର ୨୦ ଲକ୍ଷ ଟଙ୍କା ଥିଲା। ନିଲାମରେ ସାମିଲ୍ ଅନ୍ୟ ଓଡ଼ିଆ ଖେଳାଳି ହେଉଛନ୍ତି ଅଭିଷେକ ରାଉତ। ତେବେ ତାଙ୍କୁ କେଉଁ ଫ୍ରାଞ୍ଚାଇଜି କିଣୁଛନ୍ତି ତାହା ବାକି ରହିଲା।

ଏହା ପୂର୍ବରୁ ଆଇପିଏଲରେ ଏ ପର୍ଯ୍ୟନ୍ତ ମାତ୍ର ତିନି ଜଣ ଖେଳାଳି ଖେଳିଛନ୍ତି। ଏଥିରେ ଅଛନ୍ତି ପ୍ରଜ୍ଞାନ ଓଝା, ବିପ୍ଳବ ସାମନ୍ତରାୟ ଏବଂ ହଳଧର ଦାସ। ୨୦୨୧ ଆଇପିଏଲ ନିଲାମରେ ଖେଳାଳିଙ୍କ ତାଲିକାରେ ଓଡିଶାରୁ ଦୁଇ ଜଣ କ୍ରିକେଟର ଗୋବିନ୍ଦ ପୋଦ୍ଦାର ଏବଂ ଶୁଭ୍ରାଂଶୁ ସେନାପତି ଥିଲେ। ହେଲେ ଗତ ନିଲାମରେ ଉଭୟଙ୍କୁ କୌଣସି ଦଳ କିଣିନଥିଲେ। ତେବେ ୨୦୨୨ ଆଇପିଏଲ ମେଗା ନିଲାମରେ ଓଡିଶାରୁ ସାମିଲ୍ ଥିଲେ ଦୁଇ ଖେଳାଳି ଅଭିଷେକ ଏବଂ ଶୁଭ୍ରାଂଶୁ ସେନାପତି। ଚେନ୍ନାଇ ଶୁଭ୍ରାଂଶଙ୍କୁ ୨୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି। ଶୁଭ୍ରାଂଶୁ ସେନାପତି ବର୍ତ୍ତମାନ ଆଗାମୀ ରଣଜୀ ଟ୍ରଫି ପାଇଁ ଓଡିଶା କ୍ରିକେଟ୍ ଦଳର ଅଧିନାୟକ ଅଛନ୍ତି।