ଲଖିମପୁର ଖେରି ହିଂସାକାଣ୍ଡ ମାମଲା: ରାଷ୍ଟ୍ରପତିଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କଂଗ୍ରେସ ଦଳ

ଲଖିମପୁର ଖେରି ହିଂସାକାଣ୍ଡ ମାମଲା: ରାଷ୍ଟ୍ରପତିଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କଂଗ୍ରେସ ଦଳ

ଉତ୍ତର ପ୍ରଦେଶ ଲଖିମପୁର ଖେରିଠାରେ ଗତ ରବିବାର ଘଟିଥିବା ହିଂସାକାଣ୍ଡ ଘଟଣାକୁ ନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳ ଲଖିମପୁର ଖେରି ହିଂସା ଘଟଣାକୁ ନେଇ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସାମ୍ବାଦିକଙ୍କୁ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଏହି ଘଟଣାରେ ଅଭିଯୁକ୍ତଙ୍କ ବାପା ଜଣେ କେନ୍ଦ୍ର ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ହୋଇଥିବାରୁ ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ପଦବୀରୁ ହଟାଯିବାର ଆବଶ୍ୟକତା ରହିଛି । ଏହାସହ କଂଗ୍ରେସର ପ୍ରତିନିଧି ଦଳ ଏହି ଘଟଣାର ତଦନ୍ତ ସୁପ୍ରିମକୋର୍ଟର ଦୁଇଜଣ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରାଇବାକୁ ଦାବି କରିଛନ୍ତି । ଏହି ପ୍ରସଙ୍ଗରେ ସରକାରଙ୍କ ସହିତ ଆଲୋଚନା କରିବା ନେଇ ରାଷ୍ଟ୍ରପତି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଘଟିଥିବା ହିଂସାରେ ୪ କୃଷକଙ୍କ ସମେତ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ରାଷ୍ଟ୍ରପତିଙ୍କୁ ଭେଟିଥିବା କଂଗ୍ରେସ ପ୍ରତିନିଧି ଦଳରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଦଳର ବରିଷ୍ଠ ନେତା ଏ କେ ଆଣ୍ଟୋନି, ଗୁଲାମ ନବି ଆଜାଦ, ଲୋକସଭାରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ, କେ ସି ଭେନୁଗୋପାଳ ପ୍ରମୁଖ ରହିଥିଲେ ।