ପୁଣି ବଢିଲା ଗ୍ୟାସ୍ ଦର

ପୁଣି ବଢିଲା ଗ୍ୟାସ୍ ଦର

ଖାଉଟିଙ୍କୁ ପୁଣି ମହଙ୍ଗା ମାଡ । ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ପାଇଛି । ଘରୋଇ ଏଲପିଜି ସିଲିଣ୍ଡରର ବର୍ଦ୍ଧିତ ଦର ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଘରୋଇ ଏଲପିଜି ଗ୍ୟାସ୍ ଦର ମାର୍ଚ୍ଚ ୨୨ ତାରିଖରେ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି ହୋଇଥିଲା । ଫଳରେ ସବସିଡି ବିଶିଷ୍ଟ ୧୪.୨ କିଲୋଗ୍ରାମ ଏସପିଜି ସିଲିଣ୍ଡର ଦାମ୍ ୯୪୯.୫୦ ଟଙ୍କା ହୋଇଥିଲା । ପୁଣି ଥରେ ଦାମ୍ ବଢିବା ଯୋଗୁଁ ଦିଲ୍ଲୀରେ ଏବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୯.୫୦ ଟଙ୍କା ହୋଇଛି।
ପେଟ୍ରୋଲିୟମ୍ ଉଦ୍ୟୋଗର ପ୍ରାଥମିକ ଆକଳନ ଅନୁଯାୟୀ, ଅପ୍ରେଲରେ ଏଲପିଜି ବ୍ୟବହାର ମାସକୁ ୯.୧ ପ୍ରତିଶତ ହ୍ରାସ ପାଇ ୨୨ ଲକ୍ଷ ଟନ୍ ରହିଥିଲା । ଯାହା ଅପ୍ରେଲ ୨୦୨୧ ତୁଳନାରେ ୫.୧ ପ୍ରତିଶତ ଅଧିକ । 
ମେ’ ୧ରେ ସରକାରୀ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି କରିଥିଲେ । ବ୍ୟବସାୟିକ ଏଲପିଜି ସିଲିଣ୍ଡର ୧୦୨.୫୦ ଟଙ୍କା ମହଙ୍ଗା ହୋଇଥିଲା । ନୂଆ ମୂଲ୍ୟ ଲାଗୁ ହେବା ପରେ ଦିଲ୍ଲୀରେ ମେ’ ୧ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୨୨୫୩ରୁ ବୃଦ୍ଧି ପାଇ ୨୩୫୫ ଟଙ୍କା ହୋଇଛି ।